ଭଞ୍ଜସେନାର ମୟୂରଭଞ୍ଜ ବନ୍ଦକୁ ଜନସମର୍ଥନ, ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ଯାତ୍ରୀ ପରିବହନ ବ୍ୟାହତ, ସରକାରୀ, ବେସରକାରୀ କାର୍ଯ୍ୟାଳୟରେ କାରବାର ଠପ୍‌

ବାରିପଦା: ଶିମିଳିପାଳ ସୁରକ୍ଷାକୁ ନେଇ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଜନସମର୍ଥନ ମିଳିଛି। ଏହି ୯ ଘଣ୍ଟିଆ ବନ୍ଦ କାରଣରୁ ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଶିମିଳିପାଳରେ ଜାରି ରହିଥିବା ଭୟାବହ ଅଗ୍ନିକାଣ୍ଡକୁ ତୁରନ୍ତ ରୋକାଯିବା ସାଙ୍ଗକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ବାରିପଦା କାର୍ଯ୍ୟାଳୟର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ଦାବୀରେ ଆଜି ସକାଳ ୬ରୁ ଅପରାହ୍ନ ୩ ପର୍ଯ୍ୟନ୍ତ ଜିଲ୍ଲା ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିବା ସଂଗଠନ ପକ୍ଷରୁ କୁହାଯାଇଛି।

ମୟୂରଭଂଜ ଜିଲ୍ଲାର ସବୁ ସ୍ଥାନରେ ଏହି ବନ୍ଦକୁ ସମର୍ଥନ ମିଳିଥିବା ସଂଗଠନ ଦାବି କରିଛି। ବନ୍ଦ କାରଣରୁ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ସହିତ ସମସ୍ତ ରାଜ୍ୟ ରାଜପଥ ଆଦିରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଜିଲ୍ଲାର ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଓ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବ୍ୟାଙ୍କ, କୋର୍ଟ କଚେରୀ ସହିତ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାମ କାର୍ଯ୍ୟ ଠପ୍ ହୋଇଯାଇଥିଲା ।

ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା । ଆଜି ସକାଳ ୬ରୁ ଭଂଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ ଓ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଯୁବ-ଛାତ୍ର ସଂଯୋଜକ ରାକେଶ ବେହେରା, ଉପସଭାପତି ରାକେଶ ମହାନ୍ତି, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ସାଧାରଣ ସମ୍ପାଦକ ଏସକେ ରାଜା ଖାନ, ଛାତ୍ର ସଭାପତି ସୌମ୍ୟରଞ୍ଜନ ମିଶ୍ର ମଧ୍ୟ ବନ୍ଦ ପାଳନରେ ସାମିଲ ହୋଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ସହରର ମୁଖ୍ୟ ସ୍ଥାନ ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ମୃତୟନ କରାଯାଇଥିଲା ।

ସମ୍ବନ୍ଧିତ ଖବର