ଡମ୍ପର ଚକାତଳେ ଚାପିହୋଇ ବାଇକ୍‌ ଆରୋହୀ ମୃତ, ଡମ୍ପର ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର/ବାହାର୍ଦ୍ଦା: ବଲେଶ୍ୱର ସିଂଲା ଥାନା ଅଧୀନ ସାର୍ଥା ଗ୍ରାମରେ ଏକ ଡମ୍ପର ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଏହି ଗ୍ରାମର ଜୟଦେବ ମଣ୍ଡଳ(୨୫)। ଆଜି ଦ୍ଵି-ପ୍ରହର ପ୍ରାୟ ଅଢେଇଟା ବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡମ୍ପରର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଡମ୍ପରଟିକୁ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ।

ମିଳିଥିବା ଖବରରୁ ପ୍ରକାଶ ଯେ, ସାର୍ଥା ଗ୍ରାମର ରମାକାନ୍ତ ମଣ୍ଡଳଙ୍କ ପୁତ୍ର ଜୟଦେବ ଆଜି ଦିନ ୨ଟା ୩୦ ମିନିଟ୍‌ ସମୟରେ ନିଜ ବାଇକରେ ବାଲେଶ୍ୱରକୁ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଓଡି-୦୧ଆଇ-୫୮୧୮ ନମ୍ବର ଏକ ବାଲି ବୋଝେଇ ଡମ୍ପର ଆସୁଥିଲା। ଜୟଦେବ ଉଡ଼ିଶାଳ ଛକ ନିକଟରେ ଡମ୍ପରଟିକୁ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ତାର ପଛ ଚକାତଳେ ପଡ଼ିଯାଇଥିଲେ। ଫଳରେ ଡମ୍ପର ତାଙ୍କ ଉପରେ ମାଡ଼ିଯିବାରୁ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଡମ୍ପରର ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା।

ସ୍ଥାନୀୟଲୋକ ଯୁବକଙ୍କ ମୃତ୍ୟୁରେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିବା ସହ ଡମ୍ପରକୁ ନିଆଁ ଲଗାଇ ଦେଇଛନ୍ତି। ଖବରପାଇ ସିଂଲା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶବବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର