ବେତନଟୀସଦର: ଦିନକୁ ଦିନ ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ଥାନା ଅଞ୍ଚଳରେ ଚୋରା ମଦର ଆସର ଗାଁ ଠୁଁ ବଜାର ସବୁ ଛକରେ ଦେଖିବାକୁ ମିଳୁଛି। ଅପରାଧ ଓ ଅପରାଧିକ ପୃଷ୍ଠଭୂମିରେ ମଦ ଓ ମଦ୍ୟପଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିବା ବେଳେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ କୋହଳ ପଦକ୍ଷେପ ଯୋଗୁଁ ଖୋଲାଖୋଲି ଏହା ଗଳି-ଗଳିରେ ବ୍ୟାପି ଚାଲିଛି। ଅବକାରୀ ବିଭାଗ ଏବେ କୋମାରେ ଶୋଇଥିବାବେଳେ ପୁଲିସ ପ୍ରଶାସନ ଜାଣିଶୁଣି ଚୋରା ମଦ ବେପାରୀଙ୍କୁ ଦେଖାଉଛି ସହାନୁଭୂତି। ରାଧେ ରାଧେ ତମର ଅଧେକୁ ଆମର ଅଧେରେ ବେତନଟୀ ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ। ବେତନଟୀ ଅବକାରୀ ଥାନା ଅଧୀନ ପ୍ରାୟତଃ ସବୁ ଗାଁ ଅଞ୍ଚଳରେ ପାନ ଦୋକାନ ପାଖରୁ ଆରମ୍ଭ କରି ଗ୍ରୋସରୀ ଦୋକାନ, ଜଳଖିଆ ଦୋକାନ ସମେତ ସମସ୍ତ ଛକ ଛକରେ ଦେଖିବାକୁ ମିଳୁଛି ଚୋରା ମଦ କାରବାର। ସନ୍ଧ୍ୟା ହେଲେ ଗାଁ ଠାରୁ ଆରମ୍ଭ କରି ଛକ ଛକରେ ତଥା ରାସ୍ତା ପାର୍ଶ୍ୱରେ ମଦୁଆଙ୍କ ଦୌରାତ୍ମ ଆରମ୍ଭ ହୋଇ ଯାଉଛି। ଅନ୍ୟପଟେ ବୈଶିଙ୍ଗା ଅଞ୍ଚଳରେ ଅନେକ ଢ଼ାବା ଓ ହୋଟେଲରେ ବେଆଇନ ମଦ କାରବାର ଅଶାନ୍ତ ବାତାବରଣ ସୃଷ୍ଟି କରୁଛି। କେବଳ ସନ୍ଧ୍ୟା କି ରାତିରେ ନୁହେଁ ଦିନ ବେଳେ ମଧ୍ୟ ମଦୁଆଙ୍କ ଦୌରାତ୍ମ ଏବେ ଦେଖା ଦେଲାଣି। ଅନେକ ସ୍ଥାନରେ ବିଭିନ୍ନ ସାହି ଗୁଡିକରେ ମଧ୍ୟ ଏବେ ମଦର ପସରା ମେଲିଛି। ଏମିତିକି ମଦ ସହିତ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟ ମଧ୍ୟ ଅନାୟାସରେ ଚାଲିଛି।
ସେହିଭଳି ବେତନଟୀ ଅବକାରୀ ଥାନା ଅଧିନସ୍ଥ ଥିବା ଥିବା ସମସ୍ତ ୮ଟି ସରକାରୀ ସ୍ୱୀକୃତି ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ଅବକାରୀ ବିଭାଗ ଓ ସ୍ଥାନୀୟ ପୁଲିସକୁ ହାତ ବାରିସ କରି ଖୁଲମ ଖୁଲା ଦୋକାନ ସମ୍ମୁଖରେ କୋଉଠି ରାସ୍ତା ପାର୍ଶ୍ୱରେ ତ କୋଉଠି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମଦ ପିଇବାକୁ ଦେଉଛନ୍ତି ଅନୁମତି। ଫଳରେ ଅନେକ ସମୟରେ ସର୍ବସାଧାରଣରେ ଉକ୍ତ ଠିପି ବନ୍ଦ କାଉଣ୍ଟର ସମ୍ମୁଖରେ ଜମୁଛି ଆସର। ଏଥିପାଇଁ ଆଇନ୍ ଶୃଂଖଳା ପରିସ୍ଥିତି ସୃଷ୍ଠି ହେଉଥିବା ଅଭିଯୋଗ କରି ଏହାକୁ ତୁରନ୍ତ ରୋକିବା ପାଇଁ ମଧ୍ୟ ଅନେକ ସମୟରେ ସ୍ଥାନୀୟ ବାସିନ୍ଦା ଦେଇଛନ୍ତି ଅଭିଯୋଗ। ମୁଖ୍ୟତଃ ବୈଶିଙ୍ଗା-ମାଣତ୍ରୀ ଭଳି ଜନଗହଳିପୂର୍ଣ୍ଣ ରାସ୍ତା ପାର୍ଶ୍ୱରେ ବୈଶିଙ୍ଗା ଓ ମାଣତ୍ରୀରେ ଠିପି ବନ୍ଦ ମଦ ଦୋକାନ ଥିବାବେଳେ ଏହି ଦୋକାନରୁ ମଦ କିଣି ଅସାମାଜିକ ମାନେ ଦୋକାନ ସମ୍ମୁଖରେ ରାସ୍ତାକଡ଼ରେ ଖୋଲାଖୋଲିଭାବେ ମଦ୍ୟପାନ କରି ରାସ୍ତାରେ ଯାଉଥିବା ଲୋକଙ୍କ ସହିତ ପାଖରେ ଥିବା ଜନବସତି ଉପରେ ମଧ୍ୟ କୁପ୍ରଭାବ ପକାଉଛନ୍ତି। ଫଳରେ ଉକ୍ତ ଅଞ୍ଚଳରେ ଆଇନ୍ ଶୃଂଖଳା ବ୍ୟାହତ ହେବା ସହିତ ରାସ୍ତାରେ ଭଦ୍ରବ୍ୟକ୍ତି, ମହିଳା, ସ୍କୁଲପିଲା ଆଦି ଯିବା ଆସିବା ପାଇଁ ନିଜକୁ ଅସୁରକ୍ଷିତ ମଣୁଛନ୍ତି।
ଏବାବଦରେ ବେତନଟୀ ଅବକାରୀ ଥାନା ଏସଆଇ ପ୍ରକାଶ ସାହୁଙ୍କ କହିବା କଥା କି ଆମ୍ଭେ ଯଥା ସମ୍ଭବ କାଉଣ୍ଟର ମାଲିକଙ୍କୁ ବାରଣ କରୁଛୁ କି ଠିପି ବନ୍ଦ କାଉଣ୍ଟର ସମ୍ମୁଖରେ ଖୋଲାଖୋଲି ମଦ ପିଇବାକୁ ନଦେବାକୁ, ହେଲେ ସେମାନେ ମାନୁନାହାନ୍ତି। ପୁଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ଉ ନକଲେ ଏହି ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ଲାଗିବା ସମ୍ଭବ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ସେହିଭଳି ବେତନଟୀ ପୁଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶଙ୍କ କହିବା କଥା କି ପୂର୍ବରୁ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତତା ଥିବାବେଳେ ଏବେ ସେ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।