ସରକାରୀ ମଦ ଦୋକାନ ବନ୍ଦ, ବେଆଇନ ମଦରେ ଭାସୁଛି ଝାରସୁଗୁଡ଼ା ଜିଲ୍ଲା

ଝାରସୁଗୁଡ଼ା: ଗୋଟିଏ ପଟେ କରୋନା ଲଢ଼େଇ ଅନ୍ୟପଟେ ମଦ ବିକ୍ରିକୁ ନେଇ ବିତର୍କ ଚାଲିଛି। ଏଭଳି ପରିସ୍ଥିତିର ଫାଇଦା ଉଠାଇ ଚାଲିଛନ୍ତି ମଦ ମାଫିଆ ମାନେ । ସେମାନେ ସରକାରଙ୍କ ସବୁ କଟକଣାକୁ ଫୁ କରି ବେଆଇନ ମଦର ପସରା ମେଲେଇ ଦେଇଛନ୍ତି ଆଉ ଏଥିରୁ ସେମାନେ କୋଟି କୋଟି ଟଙ୍କାର ଲାଭ କରୁଥିବା ଜଣଯାଇଛି। ଜିଲ୍ଲାରେ ବିଦେଶୀ ମଦର କାରବାର କରୁଥିବା ବହୁ ବ୍ୟବସାୟୀ ଏହି କଟକଣା ସମୟର ଭରପୁର ସୁଯୋଗ ନେଇଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ବ୍ୟାପକ ଷ୍ଟକ୍ ହେର୍ଫେର୍ କରିଛନ୍ତି।

ଲକ୍‌ଡାଉନ୍‌ ସମୟରେ ଥିବା ଷ୍ଟକରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ଦୋକନ ଆଗରେ ସିଲ୍ ଥିବା ବେଳେ ପଛ ରାସ୍ତାରେ ବିକ୍ରି ହୋଇଛି। ବଡ଼ମାଳ ଥାନା ଅଞ୍ଚଳରେ ଏପରି ଏକ ଘଟଣା ଧରାପଡ଼ିଥିଲା। ବନ୍ଧବାହାଲ ମୁଖ୍ୟବଜାରରେ ଥିବା ଏକ ବିଦେଶୀ ମଦ ଦୋକାନ ସିଲ୍ ଥିବା ସତ୍ତ୍ବେ ଭୋର ସମୟରେ ତାକୁ ଦୁଇଜଣ ଅବକାରୀ କନଷ୍ଟେବଳ ପୁଣି ଖୋଲି ସେଠାରୁ ମାଲ ଚାଲାଣ କରୁଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ପଣ୍ଡରି ଠାରେ ଏବ ଲାଇସେନ୍ସପ୍ରାପ୍ତ ମଦ ଭାଟିରେ ବନ୍ଦ ସମୟରେ ଚଢ଼ା ଦରରେ ମଦ ବିକ୍ରିକୁ ନେଇ ଥାନାରେ ମାମଲା ପରେ ଲଖନପୁର ଥାନା ଉକ୍ତ ମାଲିକଙ୍କ ନାମରେ ମାମଲା ରୁଜୁ କରିଥିବା ମଦ ବ୍ୟବସାୟୀଙ୍କ ଚଞ୍ଚକତାକୁ ପଦାରେ ପକାଇ ଦେଇଛି।

ଜିଲ୍ଲାରେ ଲକ୍‌ଡାଉନ୍‌ ସମୟରେ ମଦୁଆ ମାନଙ୍କୁ ମଦ ମିଳିବାରେ ସେପରି କିଛି ଅସୁବିଧା ହୋଇନଥିବା ବହୁ ମଦ୍ୟପ ନିଜେ ସ୍ବୀକାରୋକ୍ତି ଦେଇଛନ୍ତି। ଅନ୍ୟ ପକ୍ଷରେ ଦେଶୀ ମଦଭାଟି ସିଲ୍ ପରେ ଏହା ବେଆଇନ ମଦ ନିର୍ମାତା ମାନଙ୍କୁ ଆଶିର୍ବାଦ ସ୍ବରୂପ ହୋଇଥିଲା। ଗାଁ ଗାଁରେ ଏବେ ଏଭଳି ମଦଭାଟି ଚାଲିଛି। ଜଙ୍ଗଲ ଭିତରେ ହଜାର ହଜାର ଛୋଟ ଛୋଟ ମଦଭାଟି କାମ ଏବେ କୁଟୀର ଶିଳ୍ପରେ ପରିଣତ ହୋଇଛି। ଏହି ଛୋଟ ଭାଟିରୁ ବିଭିନ୍ନ କୁଚିଆକୁ ମଦ ପରିବହନ ଅନାୟାସରେ ହେଉଛି। ଯାହାକୁ ଏବ‌େ ପୁଲିସ ଅବକାରୀ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଜିଲ୍ଲାର ସବୁ ଥାନାରେ ଏବେ ଏଭଳି ମାମଲା ବୃଦ୍ଧି ପାଉଛି।

ଲଖନପୁର ଥାନା ଜଙ୍ଗଲ ଭିତରେ ଚାଲିଥିବା ମଦଭାଟି ଗୁଡ଼ିକୁ ଧରିବା ପାଇଁ ଲଖନପୁର ଥାନା ଅଧିକାରୀ ଛଦ୍ମବେଶରେ ଯାଇ ଅନେକ ଅପରାଧିକଙ୍କୁ ଧରିଥିଲେ। ତେବେ କରୋନା ଯୋଗୁଁ ଏବେ ମାନ୍ୟବର ହାଇକୋର୍ଟ ୭ ବର୍ଷରୁ କମ୍ ସଜାଥିବା ମାମଲାକୁ କୋର୍ଟ ଚାଲାଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ମଦ ମାଫିଆ ମାନଙ୍କୁ ପୁଲିସ ଓ ଅପକାରୀ ଅଧିକାରୀ ମାନେ ଧରି ମଦ ଜବତ କରି ତାଙ୍କୁ ବେଲ୍ ବଣ୍ଡରେ ଛାଡ଼ି ଦେବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ପୁଣି ଯାଇ ସେହି ବେଆଇନ କାମ କରୁଛନ୍ତି।

ମାସକୁ ପିଅନ୍ତି ୬ ଲକ୍ଷ ଲିଟର ମଦ

ଝାରସୁଗୁଡ଼ା ଜିଲ୍ଲାରେ ମାସକୁ ୬ ଲକ୍ଷ ଲିଟରରୁ ଅଧିକ ମଦ ଲୋକ‌େ ପିଇଥାନ୍ତି। ଏହି ହିସାବ ସରକାରୀ ଲାଇସେନ୍ସ ଦୋକାନ ଅନୁଯାୟୀ ହୋଇଥିବା ବେଳେ ବେଆଇନ ମଦ ଦୋକାନରୁ ମଦ ପିଉଥିବା ମଦର ହିସାବ କଲେ ଏହା ଦଶ ଲକ୍ଷ ଲିଟରରୁ କମ୍ ହେବ ନାହିଁ। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାରେ ଗତ ଫେବୃୟାରୀ ମାସରେ ଦେଶୀ ମଦ ୧ ଲକ୍ଷ ୩୦ ହଜାର ଲିଟର, ବିଅର ୧ ଲକ୍ଷ ୪୫ ହଜାର ଲିଟର ଏବଂ ଦେଶୀଭାଟି ମଦ ୩ ଲକ୍ଷ ୩୦ ହଜାର ଲିଟର ବିକ୍ରି ହୋଇଥିଲା। ଜିଲ୍ଲାର ୫ ଗୋଟି ଅବକାରୀ ଥାନା ଅଧିନରେ ମୋଟ ୩୩ ଗୋଟି ବିଦେଶୀ ମଦ ଦୋକାନ୧୪ ଗୋଟି ଭାଟି ଓ ୯ ଗୋଟି ବାର୍ ଅଛି।

ଝାରସୁଗୁଡ଼ା ଅବକାରୀ ଥାନା ଅଧିନରେ ୨୧ ଗୋଟି ବିଦେଶୀ ମଦ ଦୋକାନ, ୪ ଗୋଟି ଦେଶୀଭାଟି ଓ ୭ ଗୋଟି ବାର୍ , ଲଇକେରା ଅବକାରୀ ଥାନା ଅଧିନରେ ଗୋଟିଏ ବିଦେଶୀ ଓ ଗୋଟିଏ ଦେଶୀଭାଟି, କିର୍ମିରା ଅବକାରୀ ଥାନା ଅଧିନରେ ୨ ଗୋଟି ବିଦେଶୀ ଦୋକାନ ଓ ଗୋଟିଏ ଦେଶୀଭାଟି, ବେଲପାହାଡ଼ ଅବକାରୀ ଥାନା ଅଧିନରେ ୮ ଗୋଟି ବିଦେଶୀ ମଦ ଦୋକାନ, ୬ ଗୋଟି ଦେଶୀଭାଟି ଓ ୨ ଗୋଟି ବାର୍ ରହିଛି। କୋଲାବିରା ଅବକାରୀ ଥାନା ଅଧିନରେ ଗେଟିଏ ବିଦେଶୀ ଓ ୨ ଗୋଟି ଦେଶୀଭାଟି ରହିଛି। ଜିଲ୍ଲାରୁ ମାସକୁ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ମଦରୁ ସଂଗ୍ରହ ହୋଇ ସରକାରଙ୍କ ପାଖକୁ ଯାଇଥାଏ।

ସମ୍ବନ୍ଧିତ ଖବର