ଝାରସୁଗୁଡ଼ା: କରୋନା ସଂକ୍ରମଣ ପାଇଁ ସାରା ଦେଶ ଲକଡାଉନ ହୋଇଛି । ଏଭଳି ସମୟରେ ସରକାର ଅନେକ କଟକଣା ଜାରି କରିଛନ୍ତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକମାତ୍ର ସତର୍କତା ମୂଳକ ପଦକ୍ଷେପ ହେଉଛି ସାମାଜିକ ଦୂରତା। ତେଣୁ ସାମାଜିକ ଦୂରତ୍ବକୁ ଏବେ ସାରା ବିଶ୍ବ ଗୁରୁତ୍ବ ଦେଉଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ମଦ ପ୍ରଚଳନକୁ ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ କରିଛନ୍ତି। ରାଜ୍ୟରେ ଥିବା ସମସ୍ତ ଲାଇସେନ୍ସପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ବ୍ୟବସାୟକୁ ସିଲ କରି ଦେଇଛନ୍ତି।
ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଓ ଭାଟି ବନ୍ଦ ହୋଇଯାଇଥିବାରୁ ଏହାର ଭରପୂର ଫାଇଦା ଉଠାଉଛନ୍ତି ଚୋରା ମଦ ମାଫିଆମାନେ। ଝାରସୁଗୁଡ଼ା ଜିଲ୍ଲା ଏବେ ଚୋରା ମଦ କାରବାରର ପେଣ୍ଠ ପାଲଟି ଯାଇଛି। ଗୋଟିଏ ପଟେ ସାରା ଜିଲ୍ଲାରେ ବେଆଇନ ଭାବରେ ଚୋରା ଦେଶୀମଦ ପ୍ରସ୍ତୁତ ହୋଇ ବିକ୍ରୟ ହେଉଥିବା ବେଳେ ବିଦେଶୀ ମଦର ମଧ୍ୟ ଚୋରା ଚାଲାଣ ଯୋର୍ ଧରିଛି। ଗାଁ ଗାଁରେ ଏବେ ଚାଲିଛି ଅବୈଜ୍ଞାନିକ ପଦ୍ଧତ୍ତିରେ ମଦରନ୍ଧା କାରବାର।
ମଦକୁ ଅତ୍ୟାଧିକ ନିଶା କରିବା ପାଇଁ ଏଥିରେ ୟୁରିଆ, ବ୍ୟାଟେରୀ ତଥା ବିଭିନ୍ନ ପ୍ରକାର ରାସାୟନିକର ଅପମିଶ୍ରଣ କରାଯାଉଥିବା ଜଣାଯାଉଛି। କମ୍ ଖର୍ଚ୍ଚରେ କିଭଳି ଦେଶୀମଦ ପ୍ରସ୍ତୁତ ହୋଇ ପାରିବ ସେଥିପାଇଁ ମହୁଲି ମଦରେ ଏହି ଅପମିଶ୍ରଣ କରାଯାଉଥିବାରୁ ଏହା କେତେବେଳେ ସାଧାରଣ ଲୋକଙ୍କ ପାଇଁ ଘାତକ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଏହି ଚୋରା କାରବାର ପଛରେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ପ୍ରଛନ୍ନ ହାତ ଥିବା ବେଳେ ଏହାକୁ ଅବାକାରୀ ଓ ପୁଲିସ ବିଭାଗର କିଛି ଅସାଧୁ ଅଧିକାରୀ ସହଯୋଗର ହାତ ବଢ଼ାଇ ଏହି ବେପାରକୁ ବହୁ ଉପରକୁ ଉଠାଇ ଦେଲେଣି।
ସରକାରୀ ଦୋକାନ ଓ ଭାଟିରେ ମଦ ମିଳୁନଥିବାରୁ ମଦୁଆ ମାନେ ମଦ ପିଇବା ପାଇଁ ପାଗଳଙ୍କ ଭଳି ଘୁରି ବୁଲୁଛନ୍ତି। ଏପରି ଲୋକଙ୍କ ଠାରୁ ଚଢ଼ା ଦାମ୍ ନେଇ ଚୋରାମଦ ବେପାରୀ ଦେଶୀ ଓ ବିଦେଶୀ ଉଭୟ ମଦ ଯୋଗାଇ ଦେଉଥିବା ଜଣାଯାଇଛି। ପଡ଼ୋଶୀ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରଚୁର ପରିମାଣରେ ରନ୍ଧାମଦ ଜିଲ୍ଲା ଭିତରକୁ ଚାଲାଣ ହେଉଥିବା ବେଳେ ଏଥିରେ ପୁଲିସ ରୋକ୍ ଲଗାଇବାରେ ସଫଳ ହେଉନାହିଁ। ସୁନ୍ଦରଗଡ଼ ଜିଲ୍ଲାର ସୀମାବର୍ତ୍ତି ଗ୍ରାମ ରାସ୍ତା ଦେଇ ଚୋରା ମଦ ଆସୁଥିବା ବେଳେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମଦ ଆସୁଥିବା ପୁଲିସ ସ୍ବୀକାର କରିଛି। ସାଇକେଲ, ବାଇକ, କାର୍ ଯୋଗେ ଏତେ ସଂଖ୍ୟାରେ ଲୋକ ମଦ ଚାଲାଣ କରୁଥିବାରୁ ଏହାକୁ ଧରିବା ମଧ୍ୟ ପୁଲିସ ପାଇଁ ଏତେଟା ସମ୍ଭବ ହେଉନଥିବା ଅନେକ ଥାନା ଅଧିକାରୀ କହୁଛନ୍ତି।
ସେହିପରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ବିଦେଶୀ ମଦର ସବୁ ପ୍ରକାର ବ୍ରାଣ୍ଡ୍ ଝାରସୁଗୁଡ଼ାକୁ ଆସି ବିକ୍ରୟ ହେଉଛି। ସୀମାରେ ପୁଲିସ ଜଗି ବସିଥିବା ବେଳେ ଛତିଶଗଡ଼ରୁ ବିଦେଶୀ ମଦ କିଭଳି ପ୍ରବେଶ କରୁଛି ତାହା ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମଦ ମାଫିଆ ମାନେ କୋଇଲା ଟ୍ରକ୍, ବିଭିନ୍ନ ମାଲ ବୋଝେଇ ଟ୍ରକରେ ଅନାୟାସରେ ବିଦେଶୀ ମଦ ସୀମାରେ ପାର କରି ବେଲପାହାଡ଼ ଠାରୁ ବିଭିନ୍ନ ଅଞ୍ଚଳକୁ ଯୋଗଉଥିବା ଜଣାଯାଇଛି। କିଛି ବିଦେଶୀ ଲାଇସେନ୍ସ ମଦ ବ୍ୟବସାୟୀ ଲକଡାଉନ ସମୟରେ ଦୋକାନ ସିଲ୍ ଥିବା ବେଳେ ଅବକାରୀ ବିଭାଗକୁ ହାତକରି ଷ୍ଟକ୍କୁ ଚଞ୍ଚକତା କରି ଏହାକୁ ବିକ୍ରୟ କରିଥିବା ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Jsg_liqur.jpeg)