ଭଦ୍ରକରେ ବଢୁଛି ଚୋରା ମଦ କାରବାର, ନକଲି ଜର୍ଦ୍ଦାର ପେଣ୍ଠସ୍ଥଳ ଭଦ୍ରକର ପୁରୁଣାବଜାର 

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସହରଠାରୁ ଆରମ୍ଭ କରି ଗାଁ  ପର୍ଯ୍ୟନ୍ତ ସବୁଠି ଚୋରା ମଦ କାରବାର ବୃଦ୍ଧି ପାଇଛି। ଚୋରା ମଦ କାରବାର ଏଭଳି ବୃଦ୍ଧି ପାଇଛି ଯେ, ଏହାକୁ ରୋକିବା ସହଜ ନୁହେଁ। ଅବକାରୀ ବିଭାଗ  ଚୋରା ମଦ ବେପାର ସଂପର୍କରେ ସବୁ କିଛି ଜାଣିଛି। କିନ୍ତୁ  ସେ ଜାଗାରେ ହାତ ମାରୁ ନାହିଁ।  ସମସ୍ତଙ୍କ ଜାଣତରେ ଚାଲିଛି ଚୋରାମଦ କାରବାର। ଅବକାରୀ ବିଭାଗ ନୀରବ ରହି  ମାଲ କମାଇ ମାଲେମାଲ ହେଉଛି। ଉପରୁ ପଡୁଛି ଚାପ। ତାପରେ ସବୁ ଚୂପ୍। ଚୋରା ମଦ ବେପାରୀଙ୍କୁ ହାତ ମାରିଲେ ପରିସ୍ଥିତି  ଭୟଙ୍କର ହେବ ବୋଲି ଜାଣି ସବୁ ଡରି ଯାଉଛନ୍ତି। ଏଇ ଡର ସମସ୍ତଙ୍କୁ ଘାରୁଛି।

କିଛି  ବାବୁଙ୍କର କିଛି ମଦ ମାଫିଆଙ୍କ ସହ ସିଧା ସଳଖ ସଂପର୍କ ରହିଛି। ଯେଉଁଥି ପାଇଁ ଚୋରା ବପୋରୀ ରାତିରେ କେବଳ ନୁହେଁ, ଦିନ ରେ ବି ଖୋଲମ୍ ଖୋଲା  ନିଜର ବେପାର ଚଳାଉଛନ୍ତି। ଭଦ୍ରକ ସହର ଏବେ  ମଦ୍ୟପଙ୍କ ଆଡ୍ଡାସ୍ଥଳ ପାଲଟି ଯାଇଛି। ଷ୍ଟେସନ, ବସ୍ ଷ୍ଟାଣ୍ଡ, ବନ୍ତଛକ ସବୁ ସ୍ଥାନ ଅସୁରକ୍ଷିତ। ସବୁଠି ମଦ୍ୟପଙ୍କ ଆଡ୍ଡା। କେବଳ ମଦ୍ୟପ ନୁହେଁ, ବ୍ରାଉନସୁଗାର ଚୋରା ବେପାରୀଙ୍କ ଚରାମୂଇଁ ବି ପାଲଟିଛି ଭଦ୍ରକ।  କରୋନା କଟକଣା ଭିତରେ ଦୁଇ ଥର ପୁଲିସ ଧରିଲାଣି ଚୋରା ବ୍ରାଉନ ସୁଗାର ବେପାରିଙ୍କୁ।

ବନ୍ତ ଛକର ଗତ ମାସ ୧୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ପୁଲିସ ଜବତ କରିବା ପରେ ସଂପୃକ୍ତ ବ୍ରାଉନସୁଗାର ମାଫିଆ ବାଇକ୍ ଛାଡି ପଳାଇ ଗଲା। ଆଜି ପର୍ଯ୍ୟନ୍ତ ପୁଲିସ ଏଇ ମାଫିଆକୁ ଧରିବାରେ ସଫଳ ହେଲା ନାହିଁ। ବ୍ରାଉନ ସୁଗାର ଜବତ ହେଲା । ତାର ମଟର ସାଇକେଲ ସିଜ୍ ହେଲା। କିନ୍ତୁ ମାଫିଆ ଗଲା କୁଆଡେ। କିଏ ତାକୁ ଗୋପନରେ ରଖିଛି।  ଫେରାର ହୋଇଥିବା ଏଇ ବ୍ରାନସୁଗାର ମାଫିଆ ଏବେ କେଉଁଠି।  ତାକୁ ଗିରଫ କରିବାକୁ ପୁଲିସର ହାତ ପାଉ ନାହିଁ କାହିଁକି ! କଣ ରହିଛି ରହସ୍ୟ। ଏମିତି ପ୍ରଶ୍ନ ଜନ ସାଧାରଣ ଉଠାଉଛନ୍ତି। ସେହିପରି ଏଇ ୪ ଦିନ ତଳେ ଚରମ୍ପା ନିକଟରେ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ବେପାରୀଙ୍କୁ ଧରିଲା ଅବକାରୀ ଗୁଇନ୍ଦା ବିଭାଗ।

ସେହିପରି ବନ୍ତ  ବ୍ଲକରେ ଏବେ ଗାଁ ଗାଁରେ ମଦ ବିକ୍ରି ଚାଲିଛି। ବନ୍ତ ପୁଲିସ  ପୂରା ଢିଲା ମାରି ବସିଛି।  ମଦ୍ୟପଙ୍କ ଉପରେ ଚଢାଉ ନାହିଁ। କେବଳ ନାମକୁ ମାତ୍ର ପୁଲିସ କରୁଛି ରାତ୍ରୀ ପେଟ୍ରୋଲିଂ।  ପୁଲିସ ପଳାଇ ଗଲା ପରେ ପୁଣି ଚାଲିଛି କାରବାର। ଏଠି ପୁଲିସର ପେଟ୍ରୋଲିଂ ଯେଭଳି ହେବା କଥା ତାହା କରାଯାଉ ନାହିଁ। କେବଳ ଚୋରା ମଦ କିମ୍ବା ବ୍ରାଉନ୍ ସୁଗାର ବେପାର କଥା ନୁହେଁ, ଭଦ୍ରକର ପୁରୁଣାବଜାର ଅଞ୍ଚଳ ଏବେ ନକଲି ଜର୍ଦ୍ଦା ତିଆରିର  ପେଣ୍ଠସ୍ଥଳ ପାଲଟିଛି। ଏଠାରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହୋଇ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳକୁ ଯୋଗାଣ କରାଯାଉଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ପ୍ରତିବର୍ଷ ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢାଉ  ହେଉଛି।  କିଛି ଯନ୍ତ୍ରପାତି  ଓ ନକଲି ଜର୍ଦ୍ଦା  ପ୍ରସ୍ତୁତ ରାସାୟନିକ ପଦାର୍ଥ  ଜବତ କରୁଛି। ଜଣେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି।

ମାତ୍ର ଭଦ୍ରକ  ସହରରେ ଏଇ ନକଲି ଜର୍ଦ୍ଦା ପ୍ରସ୍ତୁତି ବନ୍ଦ ହେଉ ନାହିଁ। ଏଥିପାଇଁ  ପୁଲିସ ପକ୍ଷରୁ ଏକ ସର୍ଚ ଅପରେସନ୍ ର ଆବଶ୍ୟକତା  ରହିଛି। ଏଇ ତିନି ଦିନ ତଳେ ଭଦ୍ରକରେ ପୁରୁଣାବଜାର ଅଞ୍ଚଳରେ ନକଲି ଜର୍ଦ୍ଦା  ଚାଲାଣ କୁ ନେଇ ଏକ ମାମଲା ରୁଜୁ ହୋଇଛି। ଗତ  ତିନି ଦିନ ତଳେ  ଜଣେ ପୁଲିସ ବାବୁଙ୍କର  ଅଚାନକ ବଦଳିକୁ ନେଇ ଭଦ୍ରକରେ ବି ବେଶ୍ ଚର୍ଚ୍ଚା ହେଉଛି। ଏହାର କାରଣ କାଳେ ଏଇ ନକଲି ଜର୍ଦ୍ଦା କାରବାର ବୋଲି ଲୋକେେ କୁହାକୁହି ହେଉଛନ୍ତି। ଭଦ୍ରକକୁ ଆସୁଥିବା କେନ୍ଦ୍ରାଞ୍ଚଳର ଅବକାରୀ ଗୋଇନ୍ଦା ବିଭାଗର କାର୍ଯ୍ୟକଳାପ ବି ସନ୍ଦେହ ଘେରରେ ରହିଛି। ଏଇ ବିଭାଗ ଏକ ନିର୍ଦ୍ଦିଷ୍ଟ ହୋଟେଲରେ ରହି ନିଜର ଅପରେସନ୍ କରନ୍ତି। ଭଦ୍ରକରେ  ଅବକାରୀ ବ୍ୟବସାୟର ଚୋରା କାରବାର ଉପରେ ଅବକାରୀ ଗୋଇନ୍ଦା ବିଭାଗର ଅଧିକାରୀ ସବୁ ଜାଣୁଥିଲେ ମଧ୍ୟ କେବଳ ଖାତାରେ କିଛି ମାମଲା ଗଡାଇବା ପାଇଁ ବର୍ଷରେ ଦୁଇ  ତିନୋଟି ମାମଲା ରୁଜୁ କରି କାମ ଚଳାଇ ଦେଇଥାନ୍ତି।

ସମ୍ବନ୍ଧିତ ଖବର