ଦିବ୍ୟାଙ୍ଗ ପରିବାରକୁ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ନାକିଚୁଆ ପଞ୍ଚାୟତ କାନପୁର ଗ୍ରାମର ତପନ କୁମାର ବେହେରାଙ୍କ ପରିବାରକୁ ନ୍ୟାୟ ପାଇଁ ଦିବ୍ୟାଙ୍ଗ ମହାସଂଘ ଏବଂ ଜାଗ ମୟୂରଭଞ୍ଜ ଜାଗ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦର୍ଶନ କରାଯାଇଛି। ଭୂମିହୀନ ତପନଙ୍କ ପରିବାର ଦୀର୍ଘ ୬୦ ବର୍ଷରୁ ଅଧିକ ହେବ ଉକ୍ତ ଗ୍ରାମରେ ବସବାସ କରିଆସୁଛନ୍ତି। ଭୂମିହୀନ ପଟା ମିଳିନଥିବାରୁ ସେ ନିଜର ଅର୍ଜିତ ଧନରୁ କିଛି ଜମି କିଣିଥିଲେ। ସ୍ୱପ୍ନ ଥିଲା ସେଠାରେ ଘର କରି ଖୁସିରେ ରହିବେ। ତପନଙ୍କ ସନ୍ତାନ ଜଣେ ଦିବ୍ୟାଙ୍ଗ।

୨୦୧୯-୨୦ରେ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିବାରୁ ସେ ରହୁଥିବା ସରକାରୀ ଜମି ଉପରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଗ୍ରାମରେ ଥିବା କିଛି ଖଳ ପ୍ରକୃତିର ଲୋକଙ୍କ ଅଭିଯୋଗ କ୍ରମେ ତହସିଲଦାର ତପନଙ୍କ ଘରକୁ ଭଙ୍ଗାଯାଇଛି। ଏପରିକି ଏହି ଘଟଣାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ମଧ୍ୟ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ମହାସଂଘର ସଭାପତି ଅରୁଣ କୁମାର ବେହେରା। ଏନେଇ ଅନ୍ୟାୟର ଶିକାର ହୋଇଥିବା ଦିବ୍ୟାଙ୍ଗ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଗତକାଲି ସକାଳ ୧୦ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

Sambad

ଜଣେ ଦିବ୍ୟାଙ୍ଗ ପରିବାରକୁ ନ୍ୟାୟ ପ୍ରଦାନ ନିମନ୍ତେ ଶ୍ରୀ ବେହେରା ଦାବି କରିଛନ୍ତି। ଏହି ଅବସରରେ ଜାଗ ମୟୂରଭଞ୍ଜ ଜାଗର ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀ ବେହେରା, ପ୍ରିୟଙ୍କା ବେହେରା ମଧ୍ୟ ଧାରଣାରେ ବସିଥିଲେ। ସେହିପରି ତପନ ବେହେରାଙ୍କ ସହିତ ଅଜିତ ବେହେରା, ରାଜେଶ ବେହେରା, ଭବାନୀ ବେହେରା, ପ୍ରମିଳା ବେହେରା, ସନ୍ତୋଷ ବେହେରା, ଚାନ୍ଦିନୀ ବେହେରା, ସୋନିତା ବେହେରା, ରୋଜି ବେହେରା, ପ୍ରିୟଲଷ୍ମୀ ବେହେରା ପ୍ରମୁଖ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର