ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଅଙ୍କୁରା ଗ୍ରାମର କ୍ରସର ନିକଟରେ ଖାଦାନରେ ପଥର ଫଟାଯାଉଥିବା ବେଳେ ପଥର ଖଣ୍ଡ ଛିଟିକି ପଡ଼ିବାରୁ ଗ୍ରାମର ଏକ ଘର ଭାଙ୍ଗିବା ସହ ୫ଟି ଘରର କାନ୍ଥ ଫାଟି ଯାଇଥିଲା। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। କ୍ରସର ବନ୍ଦ ଦାବିରେ ଆଜି ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେବାରୁ ପାଠପଢ଼ା ବନ୍ଦ ହୋଇଯାଇଛି।

Advertisment

ଅଙ୍କୁରା ଗ୍ରାମରେ ଥିବା ଦୁର୍ଗା କନ୍‌ଷ୍ଟ୍ରକସନ୍ କ୍ରସର ପକ୍ଷରୁ ପଥର ଖଣିରେ ପଥର ଫଟା ଯାଉଥିଲା। ଏହି ସମୟରେ ପଥର ଛିଟିକି ଗ୍ରାମର ରମେଶ ମହାରଣାଙ୍କ ଘର ଉପରେ ପଥର ପଡ଼ିବାରୁ ତାଙ୍କ ଟାଇଲ ଛପର ଭାଙ୍ଗି ଭାଙ୍ଗିଯାଇଥିଲା। ଘର ଭିତରେ ଖଟଟି ଚୂରମାର ହୋଇଯାଇଥିଲା। ଘଟଣା ସମୟରେ ଘରେ କେହି ନ ଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ସମ୍ପର୍କରେ ରମେଶଙ୍କ ପତ୍ନୀ ଲତା ମହାରଣା ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ସେହିପରି ପଥର ଖଣ୍ଡ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଧ୍ୟ ପଡ଼ିଥିଲା। ତେବେ ବିଦ୍ୟାଳୟ ଛୁଟିଥିବାରୁ ଛାତ୍ରଛାତ୍ରୀମାନେ ମଧ୍ୟ ମଧ୍ୟ ବର୍ତ୍ତି ଯାଇଥିଲେ। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ଗ୍ରାମର ବିରଞ୍ଚି ନାଏକ, ରାଜ ନାଏକ, ପରେଶ ଚନ୍ଦ୍ର ନାଏକ, ବିଜୟ ନାଏକଙ୍କ ଘରର କାନ୍ଥ ଫାଟିଯାଇଥିଲା। ଏହି ଘଟଣା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ କ୍ରସରର ଦୁଇ କର୍ମଚାରୀଙ୍କୁ ଅଟକ ରଖିଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। କ୍ରସର ଚାଲିଲେ ବିଦ୍ୟାଳୟ ବନ୍ଦ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଆଜି କିଛି ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ମାରିଦେବାରୁ ଛାତ୍ରଛାତ୍ରୀ ସ୍କୁଲ ଫାଟକ ନିକଟରେ ଅପେକ୍ଷା କରି ଘରକୁ ଫେରିଯାଇଥିଲେ। ପରେ ଏସ୍‌ଡିପିଓ ଓ ପାଟଣା ଥାନା ଅଧିକାରୀ ପହଞ୍ଚି ତାଲା ବିଦ୍ୟାଳୟ ଖୋଲିଥିଲେ। ଏ ସମ୍ପର୍କରେ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୁଧିଷ୍ଠିର ମହାନ୍ତ ପ୍ରକାଶ କରିଛନ୍ତି। ସେହିପରି ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ସମ୍ପୃକ୍ତ ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ଘର ଓ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।