ରାଉରକେଲା: ଇସ୍ପାତ ସହରରେ ଏବେ ଦେଶୀ ମଦର ବନ୍ୟା। ମଦ ବେପାରିଙ୍କ ଟାର୍ଗେଟ୍ରେ ବସ୍ତିବାସୀ। ଦୈନିକ ଶହ ଶହ ଲିଟର ଦେଶୀ ମଦ ଚାଲାଣ ହେଉଛି ସହରର ବିଭିନ୍ନ ବସ୍ତି ଅଞ୍ଚଳକୁ। ଜିଲ୍ଲାର ବିଭିନ୍ନ ଅଞ୍ଚଳ, ବିଶେଷକରି ହାତିବାରୀ, କୁଆରମୁଣ୍ଡା ଅଞ୍ଚଳରୁ ମଦ ଚାଲାଣ ହେଉଥିବା ଆଉ କାହାକୁ ଅଛପା ନାହିଁ। ମଦ ମାଫିଆମାନେ ଦେଶୀ ମଦ ତିଆରିଠାରୁ ଆରମ୍ଭକରି ଚୋରାଚାଲାଣ ପର୍ଯ୍ୟନ୍ତ; କର୍ମଚାରୀ ନିଯୁକ୍ତ କରି ବେପାର ଜାରି ରଖିଛନ୍ତି। ମଦ ଚୋରାଚାଲାଣ ଉପରେ ଅଙ୍କୁଶ ପାଇଁ ଚଢ଼ଉ ଜାରି ରହିଛି; କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ଗତ ନଭେମ୍ବର ମାସରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ୩,୭୯୪ ଲିଟର ଦେଶୀ ମଦ ଜବତ ହୋଇଥିଲା। ଚଳିତ ଡିସେମ୍ବର ମାସରେ ମଧ୍ୟ ଏହି ଧାରା ଅବ୍ୟାହତ ରହିଛି।
ଦେଢ଼ ମାସରେ ଧରାପଡ଼ିଛି ୨୩ ଲକ୍ଷ ୨୩ ହଜାର ଟଙ୍କାର ମଦ, ମହୁଲପୋଚ
ଗତ ନଭେମ୍ବର ପହିଲାରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଗତ ଦେଢ଼ ମାସରେ ୧ ଲକ୍ଷ ୨ ହଜାର ୬ଶହ କେଜି ମହୁଲ ପୋଚ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ୫୨ ହଜାର ଟଙ୍କା। ସେହିଭଳି ଜବତ ହୋଇଥିବା ୫,୬୨୬ ଲିଟର ଦେଶୀ ମଦର ମୂଲ୍ୟ ୯୧,୬୦୦ ଟଙ୍କା ହେବ। ଗତ ନଭେମ୍ବର ମାସରେ ୩ ହଜାର ୭ଶହ ୯୪ ଲିଟର ଦେଶୀ ମଦ ଓ ୨୬ ହଜାର ୭ଶହ କେଜି ମହୁଲ ପୋଚ ଜବତ ହୋଇଛି; ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୨୩ ହଜାର ୭ଶହ ଟଙ୍କା। ସେହିଭଳି ଡିସେମ୍ବର ୧ରୁ ୧୬ ତାରିଖ ଭିତରେ ମୋଟ୍ ୧୬ ଲକ୍ଷ ୯ ହଜାର ୬ଶହ ଟଙ୍କାର ୧୮୩୨ ଲିଟର ଦେଶୀ ମଦ ଓ ୭୫,୯୦୦ କେଜି ମହୁଲପୋଚ ଜବତ ହୋଇଛି।
ଗିରଫ ହେଲେଣି ୧୧୨
ନଭେମ୍ବର ୧ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ, ମୋଟ୍ ୧୧୨ ଜଣ ମଦ ବେପାରି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମଦ ଚୋରାଚାଲାଣକାରୀ, ମଦ ଡିଷ୍ଟ୍ରିବ୍ୟୁଟର, ମଦ ରୋଷେଇ କରୁଥିବା ବ୍ୟକ୍ତି ସାମିଲ ଅଛନ୍ତି। ଗତ ନଭେମ୍ବର ମାସରେ ୧୦୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଡିସେମ୍ବର ମାସ ସୁଦ୍ଧା ୧୦ ଜଣ ଗିରଫ ହୋଇଛନ୍ତି। ଅପରପକ୍ଷରେ ପ୍ରାୟ ୧୫/୨୦ ଜଣ ମଦ ବେପାରି କିନ୍ତୁ ପୁଲିସ୍କୁ ଚକ୍ମା ଦେବାରେ ସଫଳ ହୋଇଛନ୍ତି। ଅବକାରୀ ପୁଲିସର ଚଢ଼ଉ ବିଷୟରେ କୌଣସି ସୂତ୍ରରୁ ଖବର ପାଇ ହେଉ ଅବା ଅନ୍ୟ କୌଣସି କାରଣରୁ ଏମାନେ ପୁଲିସ ହାତରେ ଧରାପଡ଼ିଛନ୍ତି। ଅବଶ୍ୟ ପୁଲିସ ଏମାନଙ୍କୁ ଗିରଫ କରିବାକୁ ଛାନ୍ଭିନ୍ ଜାରି ରଖିଛି।
ବୀରମିତ୍ରପୁର, କୁଆରମୁଣ୍ଡାରୁ ଆସୁଛି ମଦ
ଇସ୍ପାତ ସହରକୁ ବିଭିନ୍ନ ଗ୍ରାମାଞ୍ଚଳରୁ ଦେଶୀ ଚୋରାଚାଲାଣ ହେଉଛି। ତେବେ ବୀରମିତ୍ରପୁର, କୁଆରମୁଣ୍ଡା ଅଞ୍ଚଳର ମନକୋ, ଅଙ୍କୁରପଲ୍ଲୀ, କାଲିଛାପର, କେମାଙ୍ଗ, ଟଙ୍କଟୋଲା, ଲାମକୋଇ ଆଦି ଅଞ୍ଚଳରୁ ଅଧିକ ମଦ ଆସୁଛି। ଏ ସବୁ ଅଞ୍ଚଳରେ ମଦ ମାଫିଆ କର୍ମଚାରୀ ନିଯୁକ୍ତି କରି ବେପାର ଜାରି ରଖିଛନ୍ତି। ଗାଁର ନିରୀହ ଗରିବଙ୍କୁ ଦୈନିକ ମଜୁରୀ ଆଧାରରେ ମଦ ରନ୍ଧା କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ମଦ ଚାଲାଣ କରିବାକୁ ମଧ୍ୟ କର୍ମଚାରୀ ନିଯୁକ୍ତ ଅଛନ୍ତି। ଏମାନଙ୍କୁ ମାସିକ ଆଧାରରେ ଦରମା ଦିଆଯାଉଛି। ମୁଖ୍ୟତଃ ଦୁଇଟି ରାସ୍ତା, ଯଥା- ଝୀରପାଣି ଓ ବେଦବ୍ୟାସ ଦେଇ ସହରକୁ ମଦ ଆସୁଛି। ବିଡ଼ମ୍ବନା ଏହା ଯେ, ଦୁଇ ପୁଲିସ ଥାନା ଝୀରପାଣି ଓ ବ୍ରାହ୍ମଣୀତରଙ୍ଗ ଥାନା ସମ୍ମୁଖରୁ ହିଁ ଏହି ମଦ ଚାଲାଣ ହେଉଛି। କିନ୍ତୁ ଆବଶ୍ୟକ ପାଟ୍ରୋଲିଂ ଅଭାବ ଯୋଗୁଁ ଏମାନେ ପୁଲିସ ହାତରେ ଧରାପଡ଼ୁନାହାନ୍ତି।