ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, କାଠ ମାଫିଆଙ୍କୁ ଛାଡ଼ିଦେଲା ବନ ବିଭାଗ!

ଖୋର୍ଦ୍ଧା : ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ରହସ୍ୟମୟ ଭାବେ ଫେରାର୍ ହେବା ଏବଂ ଘଟଣା ସମ୍ପର୍କରେ ବନ ବିଭାଗ ଗୋଟିଏ ଦିନ ପରେ ସାର୍ବଜନୀନ କରିବାନେଇ ସାଧାରଣରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ଗୁରୁବାର ବିଳମ୍ବିତ ରାତିରେ ବୈଦ୍ୟେଶ୍ୱର ନିକଟ ପସାଣିଆରୁ ବାଙ୍କି ଏକ ଟାଟା ଏସି (ଓଡି୦୨ ବିଏମ୍ ୩୦୪୦)କୁ ଖୋର୍ଦ୍ଧା ବନାଂଚଳର ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଜବତ ହୋଇଥିଲା । ତେବେ ଏନେଇ ବନ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଥିଲା । ଆଜି ଏନେଇ ସୂଚନା ଦେଇ ବନାଂଚଳ ରେଂଜର ସତୀଶ ମିଶ୍ର କହିଛନ୍ତି ଯେ ପସାଣିଆ-ବାଙ୍କି ରାସ୍ତାର ବରପୁଟ ଠାରେ ଏକ ଟାଟା ଏସି ଜବତ କରାଯାଇଛି । ସେଥିରୁ ୨ କ୍ୟୁବିକ୍ ମିଟର ଶାଗୁଆନ କାଠ ଜବତ କରାଯାଇଛି । ତେବେ କାଠ ଗୁଡ଼ିକର ଗୁଣାତ୍ମକମାନ ଯାଂଚ ହୋଇନଥିବାରୁ ଏହାର ପ୍ରକୃତ ବଜାର ମୂଲ୍ୟ କେତେ ଜଣାପଡ଼ିନାହିଁ । କିନ୍ତୁ ଏହା ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ତେବେ ଏହି ଘଟଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ହେଲା, ବନ ବିଭାଗ ସୂଚନା ପାଇଁ ଗାଡ଼ିକୁ ଜବତ କରି ଗୋଟିଏ ଦିନ ଏନେଇ ଲୁଚାଇ ରଖିଥିଲା । ଦ୍ୱିତୀୟରେ, ଗାଡ଼ି ଜବତ କରାଯିବା ବେଳେ ଚାଳକ ସମେତ ଗାଡ଼ିରେ ଥିବା ୨ ଜଣଙ୍କୁ ଅଟକ ଥିବା ଜଣାପଡ଼ିଥିଲା । ତେବେ ଆଜି ବନ ବିଭାଗ କୌଣିସି ବ୍ୟକ୍ତି ଗିରଫ ହୋଇନାହାନ୍ତି ଓ ସମସ୍ତେ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଛନ୍ତି ବୋଲି କହିଛି ।
ଏହାର ପ୍ରତିକ୍ରିୟାରେ ରେଂଜର ଶ୍ରୀ ମିଶ୍ର କହିଛନ୍ତି ଯେ ଏନେଇ ତଦନ୍ତ ଜାରି ରହିଛି । କାଠ କେଉଁଠାରୁ ଆସୁଥିଲା, ତା’ର ମାଲିକ କିଏ ସେନେଇ ଜଣାପଡ଼ିବା ପରେ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର