ବଲାଙ୍ଗୀର: ଆସନ୍ତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଐତିହାସିକ ଭୀମପାହାଡ଼ ପାଦଦେଶରେ ଭୀମପାହାଡ଼ ମହୋତ୍ସବ ଅନୁଷ୍ଠିତ ହେବ। ମହୋତ୍ସବ କମିଟି ତରଫରୁ ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ଆସି ତାଙ୍କର କଳାପ୍ରଦର୍ଶନ କରିବେ। ହଜାର ହଜାର ଲୋକଙ୍କ ସମାଗମ ହେବ ବୋଲି ଶନିବାର ମହୋତ୍ସବ କମିଟି ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ତଥା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦିଆଯାଇଛି। ମହୋତ୍ସବ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବ ସାଂସଦ ତଥା ରାଜ୍ୟ ଗୃହ ଉନ୍ନୟନ ନିଗମ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରିଥିଲେ। ସାମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଡଃ. ଘାସିରାମ ମିଶ୍ର, ଦେଓଗାଁ ବ୍ଲକର ପୂର୍ବ ଅଧ୍ୟକ୍ଷା ରୀନା ମେହେର, ମୁକୁନ୍ଦପୁର ସମିତିସଭ୍ୟ ତଥା ମହୋତ୍ସବ କମିଟି କୋଷାଧ୍ୟକ୍ଷ ଅଭିରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ମହୋତ୍ସବ କମିଟି ସଭାପତି ପ୍ରମୋଦ ବହିଦାର ଭୀମପାହାଡ଼ର ଇତିହାସ ବର୍ଣ୍ଣନା କରି ଏହି ପୀଠର ଐତିହାସିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଥିଲେ।

Advertisment

ରାଜ୍ୟ ସରକାର ଭୀମ ପାହାଡ଼କୁ ପର୍ଯ୍ୟଟନସ୍ଥଳ ମାନ୍ୟତା ଦେଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୫କୋଟି ଟଙ୍କାର ଅନୁଦାନ ଦେଇ ଉନ୍ନୟନ କରାଇଛନ୍ତି। ଆଉ ୬.୫ କୋଟି ଟଙ୍କାର ଅନୁଦାନ ଆସିଛି। ଏହି ଅର୍ଥକୁ ପ୍ରଶାସନ ଶୀଘ୍ର ଖର୍ଚ୍ଚ କରିବା, ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଭୀମ ପାହାଡ଼ ଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ଧରମସିଂହ ମାଝୀ ମାନଧାତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା, କନ୍ଧମେଳିର ସ୍ମୃତିକୁ ବହନ କରୁଥିବା ଏକ ଆଦିବାସୀ ମ୍ୟୁଜିୟମ ସ୍ଥାପନ କରିବା ଓ ଭୀମ ପାହାଡ଼ ଉପରେ ଗବେଷଣା କରାଯିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଥିଲା। ଚଳିତବର୍ଷ ମହୋତ୍ସବରେ ରସରାଜ ଅଚ୍ୟୁତ ପୁରୋହିତ, ଦେଓଗାଁର ବଳଭଦ୍ର ସାହୁ, ବନବିହାରୀ ସିଂହ ମାଝୀ, ଅଭୟ ଚନ୍ଦ୍ର ତ୍ରିପାଠୀ, ଟିଟିଲାଗଡ଼ କୁମୁଡ଼ା ପାହାଡ଼ ସୁରକ୍ଷା ସମିତି, ତରଭା ଚୁଡ଼ାଖାଇ ମହୋତ୍ସବ କମିଟି, ବୌଦ୍ଧ ଜିଲ୍ଲା ବନ୍ଧଗୋରା ଖଡ଼ଙ୍ଗ ମହୋତ୍ସବ କମିଟି, ବୁଡ଼ାବାହାଲ ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବଡ଼ଡୁଙ୍ଗୁରିପାଲି ସଂକୀର୍ତ୍ତନ ମଣ୍ଡଳୀକୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟି ଉପଦେଷ୍ଟା ଶୈଳେନ୍ଦ୍ର ସାହୁ, ଘନଶ୍ୟାମ ପଟେଲ, ପୀତବାସ ବିଶି, ନନ୍ଦିକିଶୋର ନାଏକ, ଟଙ୍କଧର ନାଗ, ବାସୁଦେବ ସା ପ୍ରମୁଖ ଉପସ୍ଥିତ ଥିଲେ।