ଭଦ୍ରକ: ପୁସ୍ତକ ପ୍ରକାଶନ ସଂସ୍ଥା ‘ଟାଇମପାସ’ ଭୁବନେଶ୍ୱର ପକ୍ଷରୁ ଭଦ୍ରକରେ ପ୍ରଥମ ଥର ପାଇଁ ଏକ ସୃଜନଶୀଳ ସାହିତ୍ୟ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ଶୀର୍ଷକରେ ଜାନୁଆରି ୨୭ ଓ ୨୮ ଦୁଇଦିନ ଧରି ସ୍ଥାନୀୟ ଶହୀଦ ସ୍ମୃତି ଭବନଠାରେ ଆୟୋଜିତ ହେବାକୁ ଥିବା ଏହି ବିରଳ ଉତ୍ସବର ଲୋଗୋ ‘ଟାଇମ୍ପାସ୍’ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକର ବରିଷ୍ଠ ଲେଖକଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି।
ଭଦ୍ରକ ଭାବ ଓ ଭାଷାର ମାଟି। ଭାଇଚାରା ଓ ଭଲପାଇବାର ମାଟି। ଏଇ ମାଟିରୁ ସୃଷ୍ଟି ହୋଇଛି ଓଡ଼ିଶାର ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ସ୍ୱାଧୀନତା ସଂଗ୍ରାମ ହେଉ କି ସାଂସ୍କୃତିକ ଆନ୍ଦୋଳନ, ଭଦ୍ରକର ଭୂମିକା ସବୁବେଳେ ଉଲ୍ଲେଖନୀୟ ହୋଇଆସିଛି। ଏହି କ୍ରମରେ ଭଦ୍ରକରେ ଏକ ସ୍ୱୟଂସଂପୂର୍ଣ୍ଣ ସାହିତ୍ୟ ଉତ୍ସବର ଆବଶ୍ୟକତା ଥିଲା, ଯେଉଁଠି ସାହିତ୍ୟ, କଳା, ସିନେମା, ସଙ୍ଗୀତ, ସଂପର୍କ ଓ ସଭ୍ୟତାକୁ ନେଇ ବିଚାରବିମର୍ଶ, ପ୍ରଦର୍ଶନ, କଳାତ୍ମକ ଉପସ୍ଥାପନ, ପୁସ୍ତକପର୍ବ ଆଦି ସଂଘଠିତ ହୋଇପାରିବ। ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ଏହି ଆବଶ୍ୟକତାକୁ କିଛିଟା ପୂରଣ କରିବାର ଲକ୍ଷ୍ୟ ରଖି ଆତ୍ମପ୍ରକାଶ କରୁଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ଓ ଯୁବଲେଖକଙ୍କ ସମେତ କଳାକାର, ସିନେମା ନିର୍ଦ୍ଦେଶକ, ଅଭିନେତା, ଗାୟକ, ସଂପାଦକ, ପ୍ରକାଶକ ପ୍ରମୁଖ ଯୋଗଦେବେ।
ଏହି ଅବସରରେ ଉତ୍ସବର ନିର୍ଦ୍ଦେଶକ ସରୋଜ ବଳ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ। କଥାକାର ପ୍ରଫେସର ପବିତ୍ର ପାଣିଗ୍ରାହୀ ସଭାପତି, ଗୀତିକାର ପଞ୍ଚାନନ ନାୟକ ଓ କବି କିଶୋର ପାଣିଗ୍ରାହୀ ଉପସଭାପତି, କବି ପତିତପାବନ ପାଣି ସଂଗଠନ ସଂପାଦକ, ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ସୌମ୍ୟଶ୍ରୀ ପାଣିଗ୍ରାହୀ ସୃଜନଶୀଳ ସଂପାଦକ ଭାବେ କାର୍ଯ୍ୟ କରିବେ। ଚିତ୍ତରଞ୍ଜନ ନାୟକ ସାହିତ୍ୟ ସଂଯୋଜକ, ସତ୍ୟଜିତ ମିଶ୍ର ଅଧିବେଶନ ସଂଯୋଜକ, ଆଶିଷ କୁମାର ମିଶ୍ର ଆତିଥ୍ୟ ସଂଯୋଜକ, ଅବିନାଶ ସାହୁ ପରିଧାନ ସଂଯୋଜକ ଭାବେ ଦାୟିତ୍ୱ ନିର୍ବାହ କରିବେ। କାର୍ଯ୍ୟକ୍ରମର ସହସଂଯୋଜକ ଭାବେ ସଂଗ୍ରାମ କେଶରୀ ସେନାପତି, ଅନ୍ତର୍ଯ୍ୟାମୀ ମହାରଣା, ବିଚିତ୍ରାନନ୍ଦ ଜେନା, ପ୍ରୀତିପଦ୍ମା ଦାସ, ସଂଜୟ ପଣ୍ଡା, ସତ୍ୟବ୍ରତ ସେଠୀ ପ୍ରମୁଖ ସାମିଲ ରହିବେ।
ଡ. ବ୍ରଜମୋହନ ମିଶ୍ର, ଶୈଳେନ୍ଦ୍ର ମହାପାତ୍ର, ଡ. ରାଧାବିନୋଦ ନାୟକ, ବିଜୟ ନାୟକ, ଅରୁଣ ଖିଲାର, କୈଳାସ ଚନ୍ଦ୍ର ପଣ୍ଡା, ରଜନୀକାନ୍ତ ମହାନ୍ତି, ବାସୁଦେବ ବାରିକ, ଝରଣା ପଟ୍ଟନାୟକ, ଡ. ରାଧାରାଣୀ ମହାପାତ୍ର, ଡା. ବିକାଶ ନାରାୟଣ ନନ୍ଦ ପ୍ରମୁଖ ଭଦ୍ରକର ବରିଷ୍ଠ ସଜ୍ଜନମଣ୍ଡଳୀଙ୍କ ଦିଗ୍ଦର୍ଶନରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିସହିତ ଭଦ୍ରକର ବହୁ ଲେଖକ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅଂଶ ଗ୍ରହଣ କରିବେ।
ଉତ୍ସବର ସଫଳତା ପାଇଁ ନବବର୍ଷର ପ୍ରଥମ ଦିବସରେ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ତରଫରୁ ସରୋଜ ବଳ, ପତିତପାବନ ପାଣି, ଅବିନାଶ ସାହୁ, ଆଶିଷ କୁମାର ମିଶ୍ର ପ୍ରମୁଖ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଏବଂ କୂଳଦେବତା ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରି ଆଶୀର୍ଭାଦ ଭିକ୍ଷା କରିଥିଲେ। ଏହି ଅବସରରେ ଭଦ୍ରକର ସାହିତ୍ୟ-ସଂସ୍କୃତିର ପ୍ରବହମାନତାରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଥିବା ପ୍ରମୁଖ ସାମ୍ବାଦିକମାନଙ୍କୁ ଉତ୍ତରୀୟ ଓ ଉପହାର ସହିତ ସଂବର୍ଦ୍ଧିତ କରାଯାଇଥିଲା।