ଖୋର୍ଦ୍ଧା: ଦଶହରାର ବଜାର। ଅପରାହ୍ଣରେ ଖୋର୍ଦ୍ଧା ସହରର ମୁଖ୍ୟରାସ୍ତାରେ ପ୍ରବଳ ଭିଡ଼। ଏହି ଭିଡ଼ରେ ଦମ୍ଭ ଦେଖାଇ ଏକ ସୁନା ଦୋକାନ ଭିତରେ ପଶି ଦୋକାନୀ ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟ କରିବାକୁ ଚେଷ୍ଟା କରିବା ନିଶ୍ଚିତ ଭାବେ ଖୋର୍ଦ୍ଧା ସହରରେ ଅପରାଧୀଙ୍କ ବିତ୍ପାତ ଓ ପୁଲିସ ପ୍ରତି ଅପରାଧୀଙ୍କ ଭୟ ହୀନତାକୁ ସ୍ପଷ୍ଟ କରୁଛି।
ଖୋର୍ଦ୍ଧା ମୁଖ୍ୟରାସ୍ତା ମାରୁୱାଡି ପଟ୍ଟିରେ ଗତ କିଛି ମାସ ପୂର୍ବେ ଏକ ନୂତନ ସୁନା-ରୁପା ଅଳଙ୍କାର ଦୋକାନ- ମହାଦବ ଜୁଏଲାରୀ ଖୋଲିଥିଲା। ଆଜି ଅପରାହ୍ଣ ୩ଟା ବେଳେ ଦୋକାନରେ ଲୋକ ଗହଳି ଟିକିଏ କମି ଥିଲା। ଏହି ସମୟରେ ଜଣେ ବ୍ୟକ୍ତି ହାଫ୍ ପ୍ୟାଣ୍ଟ ପିନ୍ଧି, ବେକରେ ଏକ ଝୁଲାମୁଣି ଧରି ଦୋକାନ ଭିତରେ ପଶିଥିଲା। ଅଳଙ୍କାର କିଣିବା ବାହାନାରେ ବିଭିନ୍ନ ଅଳଙ୍କାରର ଦରଦାମ ଓଜନ ଆଦି ପଚାରି ବୁଝିଥିଲା। ଦୋକାନୀର ଅସାବଧନତାର ସୁଯୋଗରେ ହଠାତ୍ ବ୍ୟାଗରୁ ଲଙ୍କାଗୁଣ୍ଡ ବାହାର କରି ଦୋକାନୀ ମୁହଁରେ ପକାଇଥିଲା। ତେବେ ଦୈବାତ୍ ଏଥିରୁ ଦୋକାନୀ ରକ୍ଷା ପାଇ ଦୁର୍ବୃତ୍ତଜଣକର ହାତକୁ ଧରିପକାଇଥିଲେ ଓଦୋକାନରେ କାମ କରୁଥିବା ଅନ୍ୟଜଣେ କର୍ମଚାରୀ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ଫଳରେ ଦୁର୍ବୃତ୍ତ ଜଣକ ନିଜର ଲଙ୍କାଗୁଣ୍ଡ ବ୍ୟାଗଟିକୁ ଛାଡ଼ି ସେଠାରୁ ଦ୍ରୁତ ଗତି ଦୌଡ଼ି ପଳାଇଥିଲେ। ଏହି କାରନାମା ଦୋକାନର ସିସିଟିଭିରେ ଉତ୍ତୋଳିତ ହୋଇଥିବା ବେଳେ ଏଭଳି ଘଟଣାକୁ ନେଇ ସହରର ଦୋକାନୀଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି। ଏନେଇ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କୁ ପଚାରିବାରେ ସେ କହିଛନ୍ତି ଏଭଳି କୌଣସି ଅଭିଯୋଗ ଥାନାକୁ ଆସିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/kh.jpg)