ଅଁଳାଯୋଡି କାନାରା ବ୍ୟାଙ୍କରୁ ଡକାୟତି, ଗ୍ୟାସ କଟରରେ ଲକର କାଟି ଲୁଟିନେଲେ ୩ ଲକ୍ଷ ଟଙ୍କା

ରାଇରଙ୍ଗପୁର :  ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି କାନାରା ବ୍ୟାଙ୍କ ଶାଖାରୁ ଡକାୟତି ହୋଇଥିବା ଜଣାପଡ଼ିଛି । ଦୁର୍ବୁତ୍ତମାନେ ବ୍ୟାଙ୍କର କାନ୍ଥକୁ ଶାବଳ ଓ ଛେଣି ସାହାଯ୍ୟରେ ଭାଙ୍ଗି  ଭିତରକୁ ପଶି ଲୁଟ କରିଥିବା ଅଭିଯୋଗ ହୋଇଛି ।

ଡକାୟତମାନେ ଷ୍ଟ୍ରଙ୍ଗ ରୁମର ଲକର ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଲକର ଭାଙ୍ଗିବା ବେଳେ ବ୍ୟାଙ୍କର ସାଇରନ ମଧ୍ୟ ବାଜି ନ ଥିବା ସୂଚନା ମିଳିଛି ।  ଆଜି ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କ ଖୋଲିବା ପରେ ଘଟଣା ସମ୍ପର୍କରେ ଜାଣି ବହଳଦା ଥାନାକୁ ଜଣାଇବା ପରେ ପୋଲିସ ସହ ବାରିପଦାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କାନ୍ଥ ଓ ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ଶାବଳ,ହାତୁଡି ଓ ଗ୍ୟାସ ସିଲିଣ୍ଡର ପ୍ରଭୃତି ଜବତ କରି ପୋଲିସ ତଦନ୍ତ ଜାରି ରଖିଛି । ତେବେ ୩ ଲକର ବିଶିଷ୍ଟ ଆଇରନ ଚେଷ୍ଟରେ ୧୦ଲକ୍ଷ ଟଙ୍କା ଥିବା ବେଳେ ଦୁଇଟି ଲକରକୁ କାଟିବାରେ ସଫଳ ହୋଇ ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ ! ସିସିଟିଭି ଡିଭିଆରକୁ ମଧ୍ୟ ଦୁର୍ବୁତ୍ତ ମାନେ ନେଇ ପଳେଇ ଥିବା ବେଳେ ଦୁର୍ବୁତ୍ତଙ୍କୁ ଧରିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି l

ସୂଚନାଯୋଗ୍ୟ ଯେ ଗତ ୬ ମାସ ମଧ୍ୟରେ ବହଳଦା ଓ ତିରିଂ ଥାନା ଅଞ୍ଚଳରୁ ୨ଟି ବ୍ୟାଙ୍କ ଓ ୪ ଟି ଫଇନାନ୍ସ କମ୍ପାନୀଠାରୁ ଲୁଟ ହୋଇଛି କିନ୍ତୁ ପୋଲିସ ଗୋଟିଏ ବି ଲୁଟ ଘଟଣାର ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ ।

ଖବର ପାଇ ଘଟଣା ସ୍ଥଳରେ ବହଳଦା ଥାନା ପୋଲିସ,ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ରାଇରଙ୍ଗପୁର ଏସଡିପିଓ ଓ ଏଏସପି ମଧ୍ୟ ପହଞ୍ଚି ତନାଘନା କରିଥିଲେ ! ଏନେଇ ବହଳଦା ଥାନାରେ କେସ ନଂ ୭୦/୨୧ ଏକ ମାମଲା ରୁଜୁ ହୋଇଛି । ଶନିବାର ଓ ରବିବାର ଦୁଇଦିନ ବ୍ୟାଙ୍କ ଛୁଟିର ସୁଯୋଗ ନେଇ ଦୁର୍ବୁତ୍ତମାନେ ଡକାୟତି କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର