ମାତିଲେଣି ଲୁଟେରା, ମୁନ୍ଦଡ଼ା ଜୁଏଲର୍ସରୁ ନେଇ ଗଲେ ୧୫ ଲକ୍ଷ ଟଙ୍କାର ଅଳଙ୍କାର 

ସମ୍ବଲପୁର : ସମ୍ବଲପୁରରେ ମାତିଲେଣି ଲୁଟେରା। ପୁଲିସର ନିଷ୍କ୍ରିୟତା ଯୋଗୁ ସମ୍ବଲପୁର ମହନାଗରରେ ଲୁଟ୍‌ତରାଜ ବଢ଼ିବାରେ ଲାଗିଛି। ଆଜି ଅପରାହ୍‌ଣରେ ମୁନ୍ଦଡ଼ା  ଜୁଏଲର୍ସରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଜଣେ ଚମ୍ପଟ ହୋଇଯିବା ସହରରେ ଆଲୋଡ଼ନ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଆଜି ଅପରାହ୍‌ଣ ୧ଟା ୪୬ରେ ସମ୍ବଲପୁର ବୈଦ୍ୟନାଥ ଛକରୁ ମାରୱାଡ଼ି ପଡ଼ା ଛକକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ହୋଲସେଲ୍‌ ଅଳଙ୍କାର ବିକ୍ରେତା ମୁନ୍ଦଡ଼ା ଜୁଏଲର୍ସକୁ ଜଣେ ଲୁଟେରା ସୁନା ଗହଣା କିଣିବା ବାହାନା‌ରେ ଯାଇଥିଲା। ସେ ଜଣେ ପଣ୍ଡିତଙ୍କୁ ଦାନ ଦେବା ନିମ‌ନ୍ତେ ସୁନା ଚେନ୍ କିଣିବାକୁ ଆସିଥିବା କହିଥିଲା। ଦୋକାନର ମ୍ୟାନେଜର ରଂଜନ ସେଠ୍‌ ସେଠାରେ କେବଳ ହୋଲ୍‌ସେଲ୍‌ରେ ଅଳଙ୍କାର ବିକ୍ରି ହେଉଥିବାରୁ ନିକଟରେ ଥିବା ସେମାନଙ୍କ ଏକ ଶାଖାକୁ ଯିବାକୁ ପରାମର୍ଶ ଦେଇଥିଲେ। ମାତ୍ର ସେ ସେଠାରୁ ହିଁ ସୁନାଚେନ୍ କିଣିବାକୁ ଜିଦ୍‌ କରିଥିଲା। ଏଭଳି ସ୍ଥିତିରେ ରଂଜନ ଡ୍ରୟରରୁ ସୁନା ଅଳଙ୍କାର ବାହାର କରି ଦେଖାଇଥିଲେ। ତେବେ, ‌ଏହି ସମୟରେ ସେ ବାରଂବାର ଡ୍ରୟର ଭିତରକୁ ହାତ ମାରିଥିଲା। ଆଉ ସୁନା ଅଳଙ୍କାର ଭର୍ତ୍ତି ଥିବା ଏକ ଛୋଟ ଡବା ଧରି ଚମ୍ପଟ ମାରିଥିଲା। ମ୍ୟାନେଜର ଶ୍ରୀ ସେଠ୍‌ ତାକୁ ଗୋଡ଼େଇ ଥିଲେ। ମାତ୍ର ମାରୱାଡ଼ି ଛକ ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ତା’ର ଅନ୍ୟ ଜଣେ ସହଯୋଗୀ ସହିତ ସ୍କୁଟିରେ ମ୍ୟୁନ୍‌ସିପାଲଟି ଛକ ଆଡ଼କୁ ଫେରାର ହୋଇଯାଇଥିଲା। ଦୋକାନ ମାଲିକ ଗୌରବ ମୁନ୍ଦଡ଼ାଙ୍କ କହିବା ଅନୁସାରେ, ସେଥିରେ ପ୍ରାୟ ୩୦୦ ଗ୍ରାମ ଓଜନର ସୁନା ଅଳଙ୍କାର ରହିଥିଲା। ଏହି ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି କହାଯାଉଛି। ଲୁଟେରା ଜଣକ ଟୋପି ଓ ମାକ୍ସ ପିନ୍ଧିଥିବା ବେଳେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲା। ଘଟଣା ସଂକ୍ରାନ୍ତରେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତ ଶୁକ୍ରବାର ଦିନ ବୁଢ଼ାରଜା ଭଳି ବ୍ୟସ୍ତତମ ଅଂଚଳରୁ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ଏକ ସୁନା ଚେନ୍ ଲୁଟ୍ ହୋଇଥିଲା। ସେ ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଦୁଇ ଜଣ ଲୁଟେରା ଆସି ସୁନା ଚେନ୍ ଲୁଟି ଫେରାର ହୋଇ ଯାଇଥିଲେ। ଲୁଟେରାମାନେ ଏଭଳି ସୁନା ଅଳଙ୍କାର ଲୁଟ୍‌ କରି ‌ପୁଲିସକୁ ଖୋଲା ଚ୍ୟାଲେଂଜ ଦେଲେଣି।

ସମ୍ବନ୍ଧିତ ଖବର