ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଅଧୀନ ବସନ୍ତିଆ ହାଟକୁ ପରିବା ବିକ୍ରି କରିବାକୁ ଆସିଥିବା ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ନିଶା ଦେଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଫକୀରପୁର ଗ୍ରାମର ବୈଷ୍ଣବ ମାଝୀ ପରିବା ନେଇ ବସନ୍ତିଆ ହାଟକୁ ବିକ୍ରି କରିବାକୁ ଆସିଥିଲେ। ସେ ଆଉ ଘରକୁ ଫେରିନଥିଲେ। ପରଦିନ ବୈଷ୍ଣବ ସିଲନ୍ଦି ଗାଁ ନିକଟରେ ଅଚେତ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଜଣାଇଥିଲେ। ତୁରନ୍ତ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ଚେତା ନ ଫେରିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କେହି ଦୁର୍ବୃତ ନିଶା ଦେଇ ତାଙ୍କଠାରୁ ଲୁଟ୍ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଛିଦିନ ତଳେ ଛେନାପଦିଛକରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ମୁଗୁପୁରର ଜଣେ ପରିବା ବ୍ୟବସାୟୀଙ୍କୁ ପରିବା ନେଇ ପଇସା ଦେବ କହି ବାଇକ୍ରେ ବସାଇ ନେଇଯାଇଥିଲେ ଦୁର୍ବୃତ୍ତ। ବିଦ୍ୟାଧରପୁର ନିକଟରେ ତାଙ୍କୁ ନିଶା ଦେଇ ଛାଡ଼ି ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp