ଭୁଜାଲିରେ ଆକ୍ରମଣ କରି ଦୁଇ ଟ୍ରକ୍‌ ଚାଳକଙ୍କଠୁ ଲୁଟ୍‌

ରାଜଗାଙ୍ଗପୁର: ବିଜୁ ଏକ୍ସପ୍ରେସ ୱେର ଲମଲୋଇ ନିକଟରେ ଏକ ଟ୍ରକ୍‌ ଚାଳକଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଆଜି ଦିନ ଦ୍ବିପ୍ରହରରେ ଦୁଇଟି ଟ୍ରକ୍‌ ମାଲ ବୋଝେଇ କରିବାକୁ ରାଉରକେଲା ଅଭିମୁଖେ ଯାଉଥିବା ସମୟରେ ଲମଲୋଇ ବିଜୁ ଏକ୍ସପ୍ରେସ ୱେର ନିକଟରେ ଦୁଇ ଗାଡ଼ିର ଚାଳକ ଟୁନା ଆନସାରି ଓ ମଣ୍ଟୁ ସିଂ ଖାଇବାକୁ ରାସ୍ତାକଡ଼ରେ ଟ୍ରକ୍‌ ଦୁଇଟିକୁ ଛିଡା କରି ଦୁହେଁ ମିଶି ଟ୍ରକ୍‌ କେବିନ୍‌ରେ ଖାଉଥିବା ସମୟରେ ହଠାତ୍ ଏକ ଆପାଚି ମୋଟର ସାଇକଲ୍‌ରେ ତିନି ଜଣ ଦୁର୍ବୁତ୍ତ ଆସି ଦୁଇ ଟ୍ରକ୍‌ ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ । ଚାଳକମାନେ ଏହାର ବିରୋଧ କରିବାରୁ ସେମାନେ ଟ୍ରକ ଚାଳକ ଟୁନା ଆନସାରିଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଯାହା ଫଳରେ ଟୁନା ଆନସାରିଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଥିଲା । ଦୁର୍ବୁତ୍ତମାନେ ଚାଳକ ଟୁନାଙ୍କ ଠାରୁ ୪ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିବାବେଳେ ସାଥୀ ଚାଳକ ମଣ୍ଟୁ ସିଂଙ୍କ ଠାରୁ ୩ ହଜାର ଟଙ୍କା ଲୁଟ କରି ବାଇକରେ ଚମ୍ପଟ ମାରିଥିଲେ। ରାସ୍ତାରେ ଯାଇଥିବ ଜଣେ ବାଇକ ଆରୋହି ଆହତ ଟ୍ରକ୍‌ ଚାଳକ ଟୁନାଙ୍କୁ ବାଇକ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଲୁଟେରାଙ୍କୁ ଧରିବାକୁ ତନାଘନା ଚଳାଇଛି ।

ସମ୍ବନ୍ଧିତ ଖବର