ଛେଣ୍ଡିପଦା: ବାଇକ ଡିକିରୁ ଟଙ୍କାବ୍ୟାଗ ନେଇ ଫେରାର ଲୁଟେରା କବଳରୁ ଉଦ୍ଧାର ହେଲା ଟଙ୍କା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଛକରୁ ଦୁର୍ବୃତ୍ତ ବାଇକ ଡିକିରୁ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଇ ବାଇକରେ ଫେରାର ହୋଇଯାଇଥିଲେ। ହେଲେ ୪ କିମି ପର୍ଯ୍ୟନ୍ତ ସେମାନଙ୍କୁ ଗୋଡାଇ ଗୋଡ଼ାଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ଟଙ୍କା ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ହେଲେ ଟଙ୍କାବ୍ୟାଗ ଉଦ୍ଧାର କରାଯାଇଥିବା ଲୁଟେରାଙ୍କୁ କାବୁ କରାଯାଇପାରିନାହିଁ। ଜଣେ ଲୁଟେରା ବାଇକରେ କୋଶଳା ଆଡକୁ ଫେରାର ହୋଇଥିବା ବେଳେ ଅନ୍ୟ ଜଣେ ଜଙ୍ଗଲରେ ଫେରାର ହୋଇଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳ ୧୦ ଟାରେ ଛେଣ୍ଡିପଦା ଗ୍ରାମର ଏଲଆଇସି ଏଜେଣ୍ଟ ମୋହନ ମହାପାତ୍ର(୪୫) ବାଇକ ଡିକିରେ ୧ ଲକ୍ଷ ୬୦ ହଜାର ଟଙ୍କା ରଖି ବ୍ଲକ ଛକର ଏକ ଦୋକାନକୁ ଜେରକ୍ସ ପାଇଁ ଯାଇଥିଲେ। ଦୋକାନ ସମ୍ମୁଖରୁ ବାଇକ ରଖି ଜେରକ୍ସ କରୁଥିବା ସମୟରେ ଜଣେ ଲୁଟେରା ଆସି ବାଇକ ଡିକି ଖୋଲି ଟଙ୍କା ବ୍ୟାଗ ନେଇଯାଇଥିଲେ। ଶ୍ରୀ ମହାପାତ୍ର ଟଙ୍କା ବ୍ୟାଗ ନେଇଯିବା ଦେଖି ଲୁଟେରାକୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୁଟେରାଜଣକ ସାଥୀ ଲୁଟେରା ସହ ବାଇକରେ ବସି ଫେରାର ହୋଇଯାଇଥିଲେ।
ଏହା ପରେ ଆଇନଜୀବୀ ନଗେନ ନନ୍ଦ ନିଜ ବୁଲେଟରେ ୪ କିମି ରାସ୍ତା ପିଛାକରି ଗୁଡ଼ିମରା ହମ୍ପ ନିକଟରେ ଲୁଟେରାଙ୍କ ବାଇକକୁ ଅଟକାଇବାକୁ ଯାଇ ବାଇକକୁ ଗୋଇଠା ମାରିଥିଲେ। ଗୋଇଠା ପରେ ବାଇକ ପଛରେ ବସିଥିବା ଲୁଟେରା ଧରିଥିବା ଟଙ୍କା ବ୍ୟାଗ ସହିତ ବାଇକରୁ ଖସି ପଡିଥିଲା। ଶ୍ରୀ ନନ୍ଦ ୧ ଲକ୍ଷ ୬୦ ହଜାର ଟଙ୍କାଥିବା ବ୍ୟାଗ ଉଦ୍ଧାର କରିବା ବେଳେ ଲୁଟେରା ଜଙ୍ଗଲକୁ ଦୌଡି ପଳାଇଥିବା ବେଳେ ଜଣେ ବାଇକ ସହ ଫେରାର ହୋଇଯାଇଥିଲା।