ଖଲ୍ଲିକୋଟ ବଡ଼ଘାଟିରେ ଲୁଟେରାଙ୍କ ରାଜ୍: ମାଉଜର ଓ ଖଣ୍ଡା ଦେଖାଇ ୨ ଲକ୍ଷ ଟଙ୍କା ଲୁଟ୍ 

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସଂଲଗ୍ନ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟି ଓ ସାନଘାଟି ଏବେ ଲୁଟେରାଙ୍କ ଆଡ଼ାସ୍ଥଳୀ ପାଲଟିଛି। ଆଜି ସକାଳ ସାଢ଼େ ୯ଟାରେ ବ୍ରହ୍ମପୁରର ପିଣ୍ଟୁ ବେହେରା ନାମକ ଜ‌ଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବୃତ୍ତ ମାନେ ମାଉଜର୍ ଓ ଖଣ୍ଡା ଦେଇ ୨ ଲକ୍ଷ ଲୁଟି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପିଣ୍ଟୁ ତାଙ୍କ ବାଇକ୍ ଯୋଗେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଭିମୁଖେ ମାନପୁରମ୍ ଗୋଲ୍ଡ ‌‌ଲୋନ୍ ଅଫିସକୁ ଯାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇ ଲିଫ୍‌ଟ ମାଗିଥିଲେ। କିନ୍ତୁ ପିଣ୍ଟୁ ଏତେ ଟଙ୍କା ଥିବାରୁ ଲିଫ୍‌ଟ ଦେବାକୁ ମନା କରିଦେଇଥିଲେ। ପରେ ବଡ଼ଘାଟି ଉପରେ ଗୋଟିଏ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ପଛପଟୁ ଏକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ମାଉଜର୍ ଓ ଖଣ୍ଡା ଦେଖାଇ ଟଙ୍କା ଥିବା ବ୍ୟାଗ୍  ଛଡ଼ାଇ ନେବା ସହ ତାଙ୍କର ମନିପର୍ସରେ ଥିବା ୧୧୦୦ ଟଙ୍କା, ବିଭିନ୍ନ ପରିଚୟ ପତ୍ର ଓ ଏଟିଏମ୍ କାର୍ଡ଼ ଲୁଟି ଫେରାର ହୋଇଯାଇଥିଲେ।
ପିଣ୍ଟୁ ସଂଗେ ସଂଗେ ଖଲ୍ଲିକୋଟ ଥାନାର ଦ୍ବାରସ୍ଥ ହୋଇଥିଲେ।

ଗଞ୍ଜାମ ଅତିରିକ୍ତ ଏସ୍‌.ପି. ଠାକୁର ପ୍ରସାଦ ପାତ୍ର ଓ ଖଲ୍ଲିକୋଟ ଥାନାଧିକାରୀ ସତ୍ୟରଞ୍ଜ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାସହ ଲୁଟର ଶିକାର ପିଣ୍ଟୁଙ୍କୁ ସାଙ୍ଗରେ ନେଇ ଗୁରାପଲ୍ଲୀ ଟୋଲଗେଟର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏନେଇ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୫୪୧ ଅନୁସାରେ ଏକ ମାମଲା ରୁଜୁ ହୋଇଛି।

ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି, ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଗଣେଶନଗରରେ ରହୁଥିବା ପିଣ୍ଟୁ ତାଙ୍କର ଜଣେ ସମ୍ପର୍କୀୟ ତଥା
ବୈଦ୍ୟନାଥପୁର ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଜଗନ୍ନାଥ ସାହୁଙ୍କ ବନ୍ଧକ ଥିବା ସୁନାକୁ ମୁକୁଳାଇବା ପାଇଁ ଦୁଇ ଲକ୍ଷ ଟଙ୍କା ଧରି ବାଣପୁର ଯାଉଥିଲେ। ସ‌େତେବେଳେ ଏହି ଘଟଣା ଘଟିଛି। କିନ୍ତୁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ବେଳେ କିଛି ସ‌ନ୍ଦେହ ଉପୁଜୁଥିବାରୁ ପୁଲିସ ଏହାକୁ ଗୁରୁତ୍ବର ସହ‌ ନେଇଛି।

ସମ୍ବନ୍ଧିତ ଖବର