ବଲାଙ୍ଗୀର: ବଲାଙ୍ଗୀର ସହରରେ ଦିନକୁ ଦିନ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି। ଦିନଦ୍ୱିପହରରେ ଚୋରି ଡକାୟତି, ରାହାଜାନୀ ଘଟଣା ଘଟୁଛି। ଆଜି ଦିନସାରା ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ପୁଲିସର ପାରିବାପଣିଆ ଉପରେ ସାଧାରଣରେ ପ୍ରଶ୍ନ ଉଠିଲାଣି। ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ଥୁଆ ହୋଇଥିବା ବାଇକ୍ରେ ଦୁର୍ବୃତ୍ତ ନିଆଁ ଲଗାଇ ଫେରାର ମାରିଥିବା ବେଳେ ଏକ ଲୁଟେରା ଦଳ ସହରର ବିଭିନ୍ନ ସ୍ଥାନରେ ଲୁଟ୍ କରିଛନ୍ତି। କାହାର ମୋବାଇଲ, ପର୍ସ ଲୁଟିଛନ୍ତି ତ ଆଉ କାହାର ଗାଡ଼ିରୁ ସାମଗ୍ରୀ ଧରି ଫେରାର ମାରିବାକୁ ଉଦ୍ୟମ କରିଛନ୍ତି। ପୁଲିସ ଦୁଇଜଣଙ୍କୁ ଥାନାରେ ରଖି ଅଧିକ ତଦନ୍ତ ଚଳାଇଛି।
ପ୍ରକାଶ ଯେ ବଲାଙ୍ଗୀର କଂସାରିପଡ଼ାଠାରେ ଏକ ବାଇକ୍ରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଜ୍ୟୋତିରଂଜନ ବେଦବାଗଙ୍କ ଘର ସାମ୍ନାରେ ତାଙ୍କ ବାଇକ୍ ଥିଲା। ବାଇକ୍ ଜଳିବା ଦେଖି ଜ୍ୟୋତିରଂଜନ ଯୁବକମାନଙ୍କ ପିଛା କରିଥିଲେ। କିନ୍ତୁ ସେମାନେ ଫେରାର ମାରିବାରେ ସଫଳ ହୋଇଥିଲେ। ହେଲେ ଜଣକର ମୋବାଇଲ୍ ଫୋନ୍ ଫେରାର ସମୟରେ ତଳେ ପଡ଼ିଯାଇଥିଲା। ଜ୍ୟୋତିରଞ୍ଜନ ମୋବାଇଲକୁ ପୁଲିସର ଜିମା ଦେବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ କେଉଁ ଯୁବକ ଓ କେଉଁ କାରଣରୁ ବାଇକ୍ରେ ନିଆଁ ଲଗାଇଲେ ତାହାର ତଦନ୍ତ ଜାରି ରଖିଛି। ଠିକ ସେହିପରି ଏକ ଚାରିଜଣିଆ ଲୁଟେରା ଦଳ ସହରରେ ଆତଙ୍କ ଖେଳାଇଥିଲେ। ପ୍ରଥମେ ମାରୁତି ସୋରୁମର କର୍ମଚାରୀଙ୍କଠାରୁ ଏକ ମୋବାଇଲ, ପର୍ସ, ଟିଫିନ ବକ୍ସ ଲୁଟ କରିଥିଲେ। ତାପରେ ମେଡିକାଲ ପରିସରରେ ପଣ୍ଡରାପିଟା ଗାଁର ଜଣେ ଲୋକଙ୍କଠାରୁ ଟଙ୍କା ଲୁଟ କରିଥିଲେ।
ବଲାଙ୍ଗୀର ସୁଦପଡ଼ାର ଜଣଙ୍କୁ ଭୁଜାଲି ଦେଖାଇ ଲୁଟ୍ କରିଥିଲେ। ପରେ ଛୁଇବନ୍ଧ ଅଂଚଳରେ ଲୁଟ୍ କରୁଥିବା ସମୟରେ ଲୋକଙ୍କ ହାବୁଡ଼ରେ ସେମାନେ ପଡ଼ିଥିଲେ। ଚାରି ଜଣଙ୍କ ଭିତରୁ ଦୁଇଜଣ ଫେରାର ମାରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଲୋକେ ପୁଲିସର ଜିମା ଦେଇଥିବା ଜଣାପଡ଼ିଛି। ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିବା କୁହାଯାଉଛି। ଏଭଳି ଘଟଣା ବଢ଼ିବା ପରେ ଗତ କିଛିଦିନ ଆଗରୁ ପୁଲିସ ସ୍ୱତନ୍ତ୍ର ପେଟ୍ରୋଲିଂ ଟିମ୍ ଗଠନ କରିଥିଲା। ବିଭିନ୍ନ ୱାର୍ଡରେ ପୁଲିସ ଟିମ୍ ପଇଁତରା ମାରୁଥିଲେ। ଏବେ କିନ୍ତୁ କିଛି ଦିନ ହେଲା ମାସ୍କ ଚେକିଂରେ ପୁଲିସ ବ୍ୟସ୍ତତା ରହିବାର ଫାଇଦା ନେଇ ପୁଣି ଲୁଟତରାଜ ଚଳାଇଲେଣି ଅପରାଧୀ। ଆଜି ଗୋଟିଏ ଦିନରେ ଏକାଧିକ ଅଭିଯୋଗ ପୁଲିସ ନିକଟକୁ ଆସିବା ପରେ ପୁଣି ପୁଲିସର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/1989fa38-56ea-46da-81fb-6268fcac043e.jpg)