ବାରିପଦା: ବାରିପଦା ଟାଉନ୍ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ନିକଟରେ ଘଟିଥିବା ଏକାଧିକ ଲୁଟରେ ସଂପୃକ୍ତ ଥିବା ଦୁଇ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଛି ଟାଉନ୍ ପୁଲିସର ସ୍ବତନ୍ତ୍ର ସ୍କ୍ବାର୍ଡ। ଆଜି ବାରିପଦାରେ ଥିବା ଏସ୍ବିଆଇ ମୁଖ୍ୟ ବ୍ରାଞ୍ଚରେ ସନ୍ଦେହଜନକ ଅବସ୍ଥାରେ ଆସ୍କା ଗ୍ୟାଙ୍ଗର ସଦସ୍ୟ ସନ୍ଦେହ କରାଯାଉଥିବା ଦୁଇ ଜଣଙ୍କୁ ପୁଲିସ୍ ଧରିଥିଲା। ଅଭିଯୁକ୍ତ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ମରାଠି ସାହିର ବାଳକୃଷ୍ଣ ପ୍ରଧାନ(୩୨) ଏବଂ ଆସ୍କା ଥାନା ଅନ୍ତର୍ଗତ ମରାଠିସାହିର ଗଣ୍ଟ ଶ୍ରୀହରି(୨୦)। ଏହି ଦୁଇ ଲୁଟେରାଙ୍କ ନିକଟରୁ ଏକ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲ୍ ସହିତ ନଗର ୪୦ହଜାର ୫ଶହ ଟଙ୍କା, ୫ଟି ମୋବାଇଲ୍ ଫୋନ୍, ଗୋଟିଏ ମାଷ୍ଟର୍ କି ଏବଂ ୪ଟି ଅତିରିକ୍ତ ସିମକାର୍ଡ ଜବତ କରାଯାଇଛି। ଏହି ଲୁଟେରାମାନେ ଝାଡ଼ଖଣ୍ଡରୁ ସମସ୍ତ ଡକାୟତି ଓ ଲୁଟ୍ ଘଟଣାକୁ ଅପରେଟ୍ କରିଥାଆନ୍ତି।
ମୋଟରସାଇକେଲ୍ ଡିକି ଭାଙ୍ଗି ଲୁଟ୍ କରିବାରେ ଏମାନେ ଓସ୍ତାଦ। ଟାଟାରେ ମଧ୍ୟ ଏମାନେ ଏକାଧିକ ଲୁଟ୍ କରି ବାରିପଦା ଆଡ଼େ ମୁହାଁଇଥିବା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ବିଭିନ୍ନ ବ୍ୟାଙ୍କ୍ରେ ବସି ରହି ଗ୍ରାହକମାନଙ୍କୁ ଫଲୋ କରି ଲୁଟ୍ କରିଥାଆନ୍ତି ଏହି ଲୁଟେରା। ନିକଟରେ ବାରିପଦା ଏସ୍ବିଆଇ ମୁଖ୍ୟ ଶାଖାରୁ ତୁଳସୀଚଉରା ଅଞ୍ଚଳର ପ୍ରତାମ ମୁଖୀଙ୍କ ନିକଟରୁ ୨ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ବ୍ୟାଙ୍କରୁ ଫଲୋ କରି ତୁଳସୀଚଉରା ଅଞ୍ଚଳରୁ ହିଁ ପ୍ରତାପଙ୍କ ନିକଟରୁ ଟଙ୍କା ବ୍ୟାଗ୍ ଲୁଟ୍ ହୋଇଥିଲା। ଏହି ଲୁଟ୍ରେ ଗିରଫ ଦୁଇ ଲୁଟେରାଙ୍କ ହାତ ଥିବା ଆଇଆଇସି ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ସେହିପରି ବାରିପଦାରେ ଘଟିଥିବା ଏକାଧିକ ଗାଡ଼ି ଡିକି ଭାଙ୍ଗି ଲୁଟ୍ରେ ମଧ୍ୟ ଦୁଇ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ୍ ସନ୍ଦେହ କରୁଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ।
କାମ ଦେଲା ଆଇଆଇସିଙ୍କ ଯୋଜନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/91a13304-8293-4766-b0d8-1051766d7fd3.jpg)