ମାତିଲେଣି ବାଳୁତ ଚୋର, ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା ସହିତ ସୁନାଗହଣା

ସିସିଟିଭିରେ କଏଦ ହେଲା ଦୃଶ୍ୟ

ବାରିପଦା : ବାରିପଦାରେ ନୁଆ ପ୍ରକାର ଚୋରଙ୍କ ଆତଙ୍କ ଦେଖିବାକୁ ମିଳିଛି। ମାତ୍ର କେଇ ବର୍ଷର ନାବାଳକ ହୋଇଥିଲେ ମଧ୍ୟ ଅତ୍ୟନ୍ତ ପ୍ରଫେସନାଲ୍‌ ଢଙ୍ଗରେ କବାଟ ତାଡ଼ି ଘରେ ପଶି ଚୋରି କରିବାରେ ସିଦ୍ଧହସ୍ତ ଏହି ବାଳୁତ ଚ‌ୋରଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଭୟ ପ୍ରକାଶ ପାଇଛି। କାରଣ ଯେକେହି ଏମାନଙ୍କୁ ଦେଖ‌ିଲେ ଚୋର ବୋଲି ଭାବି ମଧ୍ୟ ପାରିବେ ନାହିଁ। ମାତ୍ର ନିଷ୍ପାପ ଚେହେରା ତଳେ ଏପରି କାଣ୍ଡ କରିବାର ସାମର୍ଥ୍ୟ ଥିବା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଅତ୍ୟନ୍ତ ସନ୍ତର୍ପଣର ସହିତ କବାଟ ତାଡ଼ି ଲକ୍ଷାଧିକ ଟଙ୍କା ଏବଂ ସୁନାଗହଣା ଲୁଟ୍‌ କରିଛନ୍ତି ଦୁଇ ବାଳୁତ ଚୋର। ତେବେ ସିସିଟିଭିରେ ଏହି ଚୋରିର ଲାଇଭ୍‌ ଦୃଶ୍ୟ କଏଦ୍‌ ହୋଇଥିବାରୁ ଏହା ବିଶ୍ବାସଯୋଗ୍ୟ ହୋଇପାରୁଛି। ନଚେତ୍‌ ଏହାକୁ କେହି ମଧ୍ୟ ବିଶ୍ବାସ କରିପାରିବେ ନାହିଁ।

ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ରବରଗଛ ଗଳିର ଶେଷ ପାର୍ଶ୍ବରେ ରହୁଥିବା ପୁଷ୍ପଲତା ନାୟକ(୩୨) ନାମକ ଜଣେ ମହିଳା ଆଜି ଏପରି ଚୋରିର ଶିକାର ହୋଇଛନ୍ତି। କୌଣସି କାମରେ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସେ ଘରେ ତାଲା ପକାଇ ଚାଲି ଚାଲି ନିକଟରେ ଥିବା ଜଣେ ପଡ଼ୋଶୀଙ୍କ ଘରକୁ ଯାଇଥିଲେ। ସେଠାରେ ସେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନ ପ୍ରାୟ ୪ଟା ସମୟରେ ଘରକୁ ଫେରିଥିଲେ। ମାତ୍ର ସେତେବେଳକୁ ତାଙ୍କ ଘର ମୁଖ୍ୟ କବାଟ(ଗ୍ରୀଲ୍‌) ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ମଧ୍ୟ ଆଲମାରି ଭଙ୍ଗାଯାଇ ନଗଦ ପ୍ରାୟ ୧ଲକ୍ଷ ୪୦ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍‌ ହୋଇଥିବା ଦେଖିବାକୁ ପାଇଥିଲେ ।ଏନେଇ ସେ ପାଖ ପଡ଼ୋଶୀଙ୍କୁ ଜଣାଇବା ସହିତ ବାରିପଦା ଟାଉନ୍ ଥାନାକୁ ସୂଚନା ଦେଇଥିଲେ। ତେବେ ସୌଭାଗ୍ୟବଶତଃ ତାଙ୍କ ଘରେ ଲାଗିଥିବା ସିସିଟିଭିରେ ଲୁଟ୍‌ର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ୍‌ ହୋଇଥିଲା। ଦୁଇ ଜଣ ନାବାଳକ ଘରକୁ ଆସି ଏପରି କାଣ୍ଡ ଭିଆଇଥିବା ସିସିଟିଭିରୁ ସ୍ପଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଏନେଇ ବାରିପଦା ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି । ନିଜେ ଆଇଆଇସି ବୀରେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ଏପରି ବାଳୁତ ଚୋରଙ୍କୁ ନେଇ ସାଧାରଣରେ ଆଶଙ୍କା ଦେଖାଦେଇଛି। ତେବେ ଅଚିହ୍ନା ଏବଂ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା କୌଣସି ନାବାଳକଙ୍କୁ ଦେଖିଲେ ପୁଲିସ୍‌କୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଦୁଇ ଜଣ ନାବାଳକ ଏପରି ଲୁଟ୍‌ କରିଥିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

 

ସମ୍ବନ୍ଧିତ ଖବର