ପୁଣି ମାତିଲେ ଚୋର ଗ୍ୟାଙ୍ଗ୍: ୨ଲକ୍ଷ ଟଙ୍କା, ୫ଭରି ସୁନା ନେଇଗଲେ

ବ୍ରହ୍ମପୁର: ସହରତଳି ଅଞ୍ଚଳରେ ଚୋରି ଘଟଣା ଥମୁ ନାହିଁ। କିଛି କିଛି ଦିନର ବ୍ୟବଧାନରେ ଚୋରି ଘଟଣା ନଜରକୁ ଆସୁଛି। ସଦର ଥାନା ଅନ୍ତର୍ଗତ ବୋରିଗାଁ ନିକଟସ୍ଥ ବି.ଜଗନ୍ନାଥପୁର ଗ୍ରାମରେ ଜଣେ ବ୍ୟବସାୟୀଙ୍କ ତେଜରାତି ଦୋକାନରୁ ପ୍ରାୟ ୨ଲକ୍ଷ ଟଙ୍କା ଓ ୫ଭରି ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ଚୋର ଗ୍ୟାଙ୍ଗ୍‌ ଦୋକାନ ଘରର ବାରିପଟ କବାଟ ଭାଙ୍ଗି ଭିତରେ ପଶି ଚୋରି କରିଥିବା ପୁଲିସ ସନ୍ଦେହ କରୁଛି।

ବି.ଜଗନ୍ନାଥପୁର ଗ୍ରାମରେ ଏମ୍‌. ଗୌରହରିଙ୍କ ଏକ ତେଜରାତି ଦୋକାନ କରିଛନ୍ତି। ସେ ଅଧିକାଂଶ ଦିନ ଦୋକାନରେ ଶୋଇଥାନ୍ତି। କିନ୍ତୁ ଗତରାତି ସେ ଦୋକାନ ବନ୍ଦ କରି ବାରଣ୍ଡାରେ ଶୋଇଥିଲେ। ଆଜି ସକାଳୁ  ଉଠି ଦୋକାନ ଭିତରକୁ ଯାଇ ଦେଖିବା ବେଳେ ଜିନିଷପତ୍ର ଫିଙ୍ଗା ଫୋପଡ଼ା ହୋଇଥିଲା। ଦୋକାନ ଘରେ ଥିବା ଛୋଟ ଆଲମାରିଟି ମଧ୍ୟ ଗାଏବ ଥିବା ଜଣାପଡ଼ିଥିଲା। ଦୋକାନ ଘର ପଛପଟ କବାଟ ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ।

ବହୁ ଖୋଜାଖୋଜି ପରେ ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ ଆଲମାରିଟି ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ଆଲମିରା ଭିତରେ ଥିବା ପ୍ରାୟ ୨ଲକ୍ଷ ଟଙ୍କା ଓ ୫ ଭରି ସୁନା ଗହଣା ଚୋରି ହୋଇଥିବା ଜଣାପଡ଼ିଥିଲା। ଏ ନେଇ ସଦର ଥାନା ପୁଲିସ କେସ୍ ନମ୍ବର ୧୦୩/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର