ଗ୍ରିଲ୍ ଭାଙ୍ଗି ଲୁଟିନେଲେ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଭଦ୍ରକ : ଭଦ୍ରକ ଗବସାହିସ୍ଥିତ ଏସପିଙ୍କ ଆବାସିକ କାର୍ଯ୍ୟାଳୟ  ନିକଟରେ ଥିବା ଜଣେ ଲୋକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ  ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୭୦ ହଜାର ଟଙ୍କା‌ ଲୁଟିନଇଛନ୍ତି ।

ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଘରର ଗ୍ରିଲ ଭାଙ୍ଗି ଘର ଭିତରକୁ ପଶି ଘରେ ଥିବା ଗଡରେଜର ତାଲା ଭାଙ୍ଗି  ଲୁଟି ନେଇ ଫେରାର ହୋଇଯାଇଛନ୍ତି।  ଗବସାହିର  ଜୟନ୍ତୀ ମିଶ୍ରଙ୍କ ଘରୁ ଲୁଟେରା ଏଭଳି କାଣ୍ଡ ଘଟାଇଥିବା ନେଇ ଭଦ୍ରକ ଟାଉନ ପୁଲିସ ଅଭିଯୋଗ ପାଇବା ପରେ ଆଜି ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ଭଦ୍ରକ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଗବସାହିର  ଜୟନ୍ତୀ ମିଶ୍ର ଗତକାଲି  ନିଜର ଝିଅ ଘର ଭୁବନେଶ୍ବରକୁ ଯାଇଥିଲେ। ଘରେ କେହି ନଥିବା ବେଳେ ଏହାର  ସୁଯୋଗ ନେଇ  ଲୁଟେରାମାନେ  ଗତକାଲି ବିଳମ୍ବିତ ରାତିରେ  ଘରର  ଗ୍ରିଲ ଭାଙ୍ଗି ଘର ଭିତରକୁ ପଶିଥିଲେ। ପରେ ଘରେ ଥିବା  ଗଡରେଜ୍ ତାଲା ଭାଙ୍ଗି  ଦେଇ  ସେଥିରେ ଥିବା  ଦୁଇଟି ସୁନା ବଳା, ଚୁଡି,  ଧଣିଆଫାଳି ମାଳ,  ମଙ୍ଗଳସୂତ୍ର, ଚେନ୍,  ମୁଦି, କାନଫୁଲ ଓ  ରୂପା ଅଳଙ୍କାର ସବୁ ଲୁଟି ନେଇଛନ୍ତି।  ଲୁଟ୍ ହୋଇଥିବା ସାମଗ୍ରୀର ମୂଲ୍ୟ ୭ ଲକ୍ଷ  ଟଙ୍କାରୁ  ଉଦ୍ଧ୍ବ ହେବ ବୋଲି  ଅକଳନରୁ ଜଣାପଡିଛି।  ସେହିପରି ଏଡି ଗଡରେଜରେ ଥିବା  ନଗଦ ୭୦ ହଜାର ଟଙ୍କା ଲୁଟେରାମାନେ ଲୁଟି ନେଇଛନ୍ତି। ଲୁଟେରାମାନେ  ଏଇସବୁ ସୁନା  ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ପାଖ କଲୋନୀ ଲୋକ ଏଇ ଲୁଟ୍  ସଂପର୍କରେ କିଛି ସୂରାକ ପାଇଲେ ନାହିଁ।  ଘର ମାଲିକ ଜୟନ୍ତୀ ମିଶ୍ରଙ୍କ ପୁଅ  ରାମନାରାୟଣ  ମିଶ୍ରଙ୍କ ଏତଲା ମୂଳେ ଆଜି  ଭଦ୍ରକ ଟାଉନ ଆଇଆଇସି  ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଗବସାହିର ଭିଆଇପି ଅଞ୍ଚଳରେ ଏଭଳି ଚୋରୀ ହେବା ଘଟଣା ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଏଇ ଅଞ୍ଚଳ ହେଉଛି ଏସପି, କଲେକ୍ଟର ଓ ବିଚାରପତିମାନେ ରହୁଥିବା ଅଞ୍ଚଳ। ଏଇ ଅଞ୍ଚଳରେ  ସବୁ ବେଳେ କଡା ପୁଲିସ ପହରା  ଦେଉଛି। ଏଭଳି ପୁଲିସ ପହରା ଦେବା ଭିତରେ ଚୋରମାନେ କିଭଳି ଭାବେ ରାତିରେ  ଜୟନ୍ତୀଙ୍କ ଘରର ଗ୍ରିଲ ତାଡି ସୁନା ଅଳଙ୍କାର ଲୁଟିନେଲେ। ତାହା ପୁଲିସର ପାରିବା ପଣିଆକୁ ଚ୍ୟାଲେଞ୍ଜ କରିଛି।

ସମ୍ବନ୍ଧିତ ଖବର