ଯାଜପୁରଟାଉନ/ସଦର/ଦଶରଥପୁର: ଯାଜପୁର ଟାଉନ ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ମନ୍ଦିର ନିକଟରେ ଆଜି ଅପରାହ୍‌ଣରେ ବିଜେପି ନେତା ସଂଗ୍ରାମ କେଶରୀ ପାତ୍ରଙ୍କ ଗାଡ଼ି ଭଙ୍ଗାରୁଜା ସହ ତାଙ୍କ ଡ୍ରାଇଭରଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ଗାଡ଼ି କାଚ ଭାଙ୍ଗିଥିବାବେଳେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫୦ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟ୍‌ କରାଯାଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସଂଗ୍ରାମ କେଶରୀ ପାତ୍ର ଆଜି ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ସିଦ୍ଧେଶ୍ୱର ମନ୍ଦିରରୁ କର୍ମୀଙ୍କ ଗହଣରେ ଜନସଂପର୍କ ଯାତ୍ରା ଆରମ୍ଭ କରିଥିଲେ। ସେ ସମର୍ଥକଙ୍କ ସହ ଲୋକମାନଙ୍କୁ ଭେଟିବାକୁ ଯାଇଥିବାବେଳେ ପଡ଼ିଆରେ ଗାଡ଼ି ଭିତରେ ଡ୍ରାଇଭର ବସିଥିଲେ। ଏହି ସମୟରେ ହଠାତ୍ କଳା ରଙ୍ଗର ଗ୍ଲାମର ବାଇକ୍‌ରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଭୁଜାଲି ଓ ବନ୍ଧୁକ ଧରି ସେଠାରେ ପହଞ୍ଚି ଡ୍ରାଇଭର ମଙ୍ଗୁଳୁ ପ୍ରଧାନଙ୍କୁ ସଂଗ୍ରାମ ପାତ୍ର କେଉଁଆଡ଼େ ଗଲା ବୋଲି ପଚାରି ଧମକାଇଥିଲେ।

Advertisment

ମଙ୍ଗୁଳୁଙ୍କୁ ଗାଡ଼ି ଭିତରୁ ବାହାରକରି ଧକ୍କା ମାରି ତଳେ ପକାଇ ଦେଇଥିଲେ। ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ିରେ ଥିବା ନଗଦ ୫୦ ହଜାର ଟଙ୍କା, ଦରକାରୀ କାଗଜପତ୍ର, ମୋବାଇଲ୍ ଲୁଟି ନେଇଥିଲେ। ଗଲାବେଳେ ଏକ ହାତୁଡ଼ିରେ ଗାଡ଼ି କାଚକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ମୋବାଇଲ ଲୁଟ୍‌ ହୋଇଥିବାରୁ ସେ ଘଟଣା ସଂପର୍କରେ ଯୁବନେତା ସଂଗ୍ରାମଙ୍କୁ ସଙ୍ଗେସଙ୍ଗେ ଜଣାଇ ପାରିନଥିଲେ। ପରେ ମନ୍ଦିରକୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୋବାଇଲ ଫୋନ ମାଗି ଘଟଣା ସଂପର୍କରେ ତାଙ୍କୁ ଜଣାଇଥିଲେ। ପରେ ବିଜେପି ନେତା ଶ୍ରୀ ପାତ୍ର ଏ ବିଷୟରେ ଅବଗତ ହେବା ପରେ ନିଜ ସମର୍ଥକମାନଙ୍କ ସହ ଯାଜପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।