ଇବଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଅନ୍ତର୍ଗତ ରମ୍ପେଲା ସେତୁ ନିକଟରେ ସୋମବାର ବିଳମ୍ବିତ ରାତିରେ ଜଣେ ଟ୍ରକ୍ ଚାଳକଙ୍କୁ ୩ ଜଣ ଦୁର୍ବୃତ୍ତ ପ୍ରାଣାନ୍ତକ ଆକ୍ରମଣ କରି ୧୨ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁସାରେ ବନ୍ଧବାହାଲର ଟ୍ରକ୍ ମାଲିକ ସୀମାଞ୍ଚଳ ବରାଡ଼ ନିଜ ଟ୍ରକ୍ (ଓଆର୍ ୧୪ଟି-୫୮୭୧)ରେ ରୋଡସେଲ୍ କୋଇଲା ନେଇ ବୌଦ୍ଧ ଯାଇଥିଲେ। ସେଠାରୁ କୋଇଲା ବାବଦ ୨୨ ହଜାର ଟଙ୍କା ନେଇ ଫେରିବା ବେଳେ ବାଟରେ ୧୦ ହଜାର ଟଙ୍କାର ତେଲ ଗାଡ଼ିରେ ପକାଇଥିଲେ। ଆଉ ବାକି ୧୨ ହଜାର ଟଙ୍କା ନେଇ ସେ ରେଙ୍ଗାଲି (ସମ୍ବଲପୁର)ରୁ ରମ୍ପେଲା ସେତୁ ଦେଇ ବନ୍ଧବାହାଲକୁ ଫେରୁଥିଲେ।
ରାତି ପ୍ରାୟ ସାଢ଼େ ୯ଟା ବେଳେ ପୋଲ ପାରି କରିବାର କିଛି ବାଟ ପରେ ଗାଡ଼ିଟି ଖରାପ ହୋଇଯିବାରୁ ସେଠାରେ ସୀମାଞ୍ଚଳ ଅଟକି ରହିଥିଲେ। ତେବେ ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ଏକ ଧଳା ରଙ୍ଗର ବଲେରୋରେ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ସୀମାଞ୍ଚଳଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ବାମ ହାତ, ମୁଣ୍ଡ, ପିଠିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ସୀମାଞ୍ଚଳ ତଳେ ପଡ଼ିଯାଇଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କ ନିକଟରେ ଥିବା ୧୨ ହଜାର ଟଙ୍କା ନେଇ ଫେରାର୍ ମାରିଥିଲେ। ଭୋର୍ରୁ କିଛି ଲୋକ ମର୍ଣ୍ଣିଂ ୱାକ୍ରେ ଯିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୀମାଞ୍ଚଳଙ୍କୁ ପଡ଼ିଥିବା ଦେଖି ଗାଡ଼ି ବ୍ୟବସ୍ଥା କରି ଲଖନପୁର ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ବନହରପାଲି ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ସୀମାଞ୍ଚଳ ବର୍ତ୍ତମାନ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।