ବିଳମ୍ବିତ ରାତିରେ ଛୁରୀ ଦେଖାଇ ଲୁଟିନେଲେ ୧୨ ଭରି ସୁନା ଓ ୫ ଲକ୍ଷ ଟଙ୍କା

ଉତ୍କେଲା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା କର୍ଲାପଡା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୬ ତେନ୍ତୁଳିପଡା ଛକ ଉପରେ ଥିବା ଗୋଟିଏ ଘରୁ ମଙ୍ଗଳବାର ରାତିରେ ଡକାୟତମାନେ ଲୁଟ କରିଛନ୍ତି | ଡକାୟତମାନେ ୧୨ ଭରି ସୁନା, ୫ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ନେଇଥିବା ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି |

ସୂଚନା ମୁତାବକ, କେସିଙ୍ଗା ବ୍ଲକ ଫଟକାମାଲ ପଞ୍ଚାୟତ ତେନ୍ତୁଳିପଡ଼ା ଗ୍ରାମର ପ୍ରତାପ କୁମାର ସା ଓ ତାଙ୍କ ସ୍ତ୍ରୀ ପ୍ରତିଭା ସା, ଶୋଇଥିବାବେଳେ ଗତକାଲି ରାତି ୧ଟା ସମୟରେ ଡକାୟତମାନେ ଘର ଭିତରକୁ ପଶିଥିଲେ | ଡକାୟତମାନେ ଦୁଇଜଣଙ୍କୁ ଛୁରୀରେ ଆଘାତ କରି ଗୋଟିଏ ରୁମ ଭିତରେ ସମସ୍ତଙ୍କୁ ବନ୍ଦ କରି ଘରୁ ସୁନା ଟଙ୍କା ନେଇ ଫେରାର ହୋଇଯାଇଥିଲେ |

ଆଜି ସକାଳ ସମୟରେ ସ୍ୱାମୀ ଓ ସ୍ତ୍ରୀ ଝରକା ପଟୁ ଲୋକମାନଙ୍କୁ ଡାକି କବାଟ ଖୋଲିଥିଲେ | ବାହାରକୁ ବାହାରିବା ପରେ ଭବାନୀପାଟଣା ସଦର ଥାନାକୁ ଘଟଣା ବିଷୟରେ ଜଣାଇବାପରେ ଘଟଣାସ୍ଥଳରେ ସଦର ଥାନା ପୁଲିସ ଓ କର୍ଲାପଡା ପୁଲିସ ପହଞ୍ଚି ତଦନ୍ତ କରୁଛନ୍ତି |

ସମ୍ବନ୍ଧିତ ଖବର