ଖୋର୍ଦ୍ଧା: ଖୋର୍ଦ୍ଧାରେ ଦେଖିବାକୁ ମିଳିଛି କଳା ପଲସର ଆତଙ୍କ । ଦିନଦ୍ୱିପହରେ ଲୁଟ ଘଟଣା ଅନେକଥର ସାମ୍ନାକୁ ଆସିଲାଣି। ଗୁରୁବାର ଅପରାହ୍ନରେ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଟାଙ୍ଗିଆ ପଡ଼ାର ସାମନ୍ତ ପ୍ରଧାନ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଜମି କିଣିବା ପାଇଁ ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ତହସିଲ ଅଫିସ ପରିସରରେ ଛିଡା ହୋଇଥିବା ସମୟରେ ଦୁଇଜଣ ଯୁବକ ଏକ କଳା ରଙ୍ଗର ପଲସର୍ରେ ଆସି ସାମନ୍ତଙ୍କୁ ଧକ୍କା ଦେଇଥିଲେ ଏବଂ ତାଙ୍କଠାରୁ ସାଢ଼େ ତିନିଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ତେବେ ସାମନ୍ତ ବ୍ୟାଙ୍କରୁ ଟଙ୍କା ଉଠାଇ ଥିବା ସୂଚନା ପାଇବା ପରେ ଏହି ଦୁର୍ବୃତ୍ତମାନେ ପିଛା କରିଥିଲେ। ମଉକା ଦେଖି ସାମନ୍ତଙ୍କଠାରୁ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଏ ଘଟଣା ନେଇ ପୁଲିସରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।