ଘରେ ପଶି ଲକ୍ଷାଧିକ ଟଙ୍କା, ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଦୀର୍ଘ ୬ ମାସ ପରେ ପୁଣି ଖୋର୍ଦ୍ଧା ଟାଉନ୍ ଥାନା ଅଧୀନରେ ଏକ ବଡ଼ଧରଣର ଚୋରି ଘଟିଛି । ଗତକାଲି ରାତିରେ ଠାକୁରପଡ଼ା ଗାଁରେ ଜଣଙ୍କ ଘରେ ପଶି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ନଗଦ ଓ ସୁନା-ରୁପା ଅଳଙ୍କାର ଲୁଟି ନେଇଛନ୍ତି । ଲୁଟ ହୋଇଥିବା ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି ।

ସୂଚନାନୁସାରେ, ଠାକୁରପଡ଼ା ବାସିନ୍ଦା ପ୍ରକାଶ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଘରର ଝରକା ଭାଙ୍ଗି ଭିତରେ ପଶିଥିଲେ । ଆଲମିରାରୁ ନଗଦ ଟଙ୍କା ଓ ସୁନା, ରୁପା ଆଦି ଅଳଙ୍କାର ନେଇ ଚାଲିଯାଇଥିଲେ । ସକାଳେ ଘର ମାଲିକ ଏହା ଜାଣିବା ପରେ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗରେ ଲୁଟ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଘର ମାଲିକ ଦର୍ଶାଇଛନ୍ତି ।

ଅଭିଯୋଗ ପରେ ପୁଲିସ ତଦନ୍ତ ଅଧିକାରୀ ଅନୁଭା ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ପହଂଚିଥିଲେ । ସାଇଂଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ସାହାଯ୍ୟରେ ଅନୁସନ୍ଧାନ କରାଯାଇଥିଲା । ଏନେଇ ତଦନ୍ତ ଅଧିକାରୀ ଶ୍ରୀମତି ଦାଶ କହିଛନ୍ତି ଯେ ଗରମ ହେତୁ ଘରର ସମସ୍ତ ସଦସ୍ୟ ଏସି ଥିବା ପ୍ରକୋଷ୍ଠରେ ଶୋଇଥିଲେ । ଦୁର୍ବୃତ୍ତମାନେ ଝରକା ଭାଙ୍ଗି ପଶି ଶୋଇଥିବା ରୁମର ବାହାର ପଟୁ କବାଟ ଦେଇ ଦେଇଥିଲେ । ଘର ମାଲିକଙ୍କ ଅଭିଯୋଗକ୍ରମେ ୨୧୪/୨୦୨୧ରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତରୁ ପ୍ରାୟ ୧ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ଯାଇଥିବା ଜଣାପଡ଼ିଛି । ସନ୍ଧାନୀ କୁକୁର କିଛି ସୂଚନା ଦେଇଛି, ସେଇ ତଥ୍ୟକୁ ଆଧାର କରି ଆଗକୁ ତଦନ୍ତ ଜାରି ରହିବ ।

 

ସମ୍ବନ୍ଧିତ ଖବର