ବନ୍ଧୁକ ମୁନରେ ୪୦ ହଜାର ଟଙ୍କା ସମେତ ୫ ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ଗହଣା ଲୁଟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ସହର ସମେତ ଆଖପାଖ ଅଞ୍ଚଳରେ ଚୋରି,ଡକାୟତି, ରାହାଜାନୀ ବୃଦ୍ଧି ପାଇବାରେ ଲାଗୁଛି । ଯାହାକୁ ନେଇ ରାଇରଙ୍ଗପୁର ସହରବାସୀ ଭୟଭୀତ ହୋଇ ରହୁଛନ୍ତି। ତେବେ ପୂର୍ବରୁ ପରିବାର ଲୋକେ ଘରକୁ ତାଲା ପକାଇ ବାହାରକୁ ଗଲେ ଚୋରି ହେଉଥିଲା କିନ୍ତୁ ବର୍ତ୍ତମାନ ଡ଼କାୟତ ଦଳ ପରିବାର ଲୋକେ ଘରେ ଶୋଇଥିବା ସମୟରେ ତାଙ୍କୁ ବନ୍ଧୁକ ଦେଖାଇ ଦଉଡ଼ିରେ ବାନ୍ଧି ଲୁଟ କରିଥିବା ଭଳି ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ ଗତ ରାତିରେ ୭ ନଂ ୱାର୍ଡ ଗଢ଼ ଫିଶାରୀ ଅଫିସ ପାଖର ବାସିନ୍ଦା ମନୋଜ ରାମଙ୍କ ଘରେ ୬ ମୁଖାଧାରୀ ଡକାୟତ ଘର ପଛପଟେ କବାଟ ଭାଙ୍ଗି ପଶି ଘର ମାଲିକଙ୍କୁ ଆକ୍ରମଣ କରିଥିଲେ । ସେମାନେ ମନୋଜ ରାମଙ୍କ ସାନଭାଇ ଅମିତ ବରହମପୁରିଆ ଏବଂ ତାଙ୍କ ପତ୍ନୀ ରୀୟାଙ୍କୁ ବନ୍ଧୁକ ଦେଖାଇ କାବୁ କରିଥିଲେ । ହାତ ଗୋଡ଼କୁ ଦଉଡି ସାହାଯ୍ୟରେ ବାନ୍ଧି ଦେଇଥିଲେ ।

ତାଙ୍କର ପୁଅକୁ ଜଣେ ଡକାୟତ କାବୁ କରି ଟଙ୍କା କେଉଁଠି ଅଛି ବୋଲି ଧମକାଇଥିଲେ । ସେମାନଙ୍କୁ ଭୟଭୀତ କରି ଆଲମିରାର ଚାବି ନେଇ ୪୦ ହଜାର ଟଙ୍କା ସମେତ ଆନୁମାନିକ ୫ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ । ଅତି ଚତୁରତାର ସହିତ ଘରର ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ନେଇଯାଇଥିଲେ । ଶୋଇଥିବା ଅନ୍ୟମାନଙ୍କ କୋଠରୀକୁ ବାହାର ପଟୁ ବନ୍ଦ କରି ଦେଇଥିଲେ । ଘର ଓ ଫାଟକର ଚାବିକାଠି ନେଇ ପଳାଇଥିଲେ । ଏନେଇ ଘର ମାଲିକ ଟାଉନ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି, ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ, ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାରେ ପହଞ୍ଚି ଛାନଭିନ କରିଛନ୍ତି ।ତଦନ୍ତ ସମୟରେ ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି । ଏନେଇ ଟାଉନ ଥାନାରେ କେସ ନଂ ୨୦୦/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି । ତେବେ ପୁଲିସ ଅନ୍ୟ ଏକ ଘରର ସିସି କ୍ୟାମେରାର କଏଦ ହୋଇଥିବା ଫୁଟେଜରୁ ଛାନଭିନ ଜାରି ରଖିଛି ।

ସମ୍ବନ୍ଧିତ ଖବର