ସମ୍ବଲପୁର : ସମ୍ବଲପୁର ସହରରେ ମାରଣାସ୍ତ୍ର ଦେଖାଇ ଲୁଟ୍ କରିବା ସାଧାରଣ ଘଟଣା ହୋଇସାରିଲାଣି। ବୁଧବାର କ୍ଷେତରାଜପୁର ଥାନା ପୋଦ୍ଦାର କଲୋନି ନିକଟରେ ପିସ୍ତଲ ଦେଖାଇ ଜଣଙ୍କୁ ଅପହରଣ ଓ ଲୁଟ୍ କରାଯାଇଥିବା ଘଟଣାକୁ ସାମ୍ନାକୁ ଆସିବା ପରେ ସମ୍ବଲପୁର ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଅଭିଯୋଗ ହେବାର ୬ ଘଣ୍ଟା ମଧ୍ୟରେ ସମ୍ବଲପୁର ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, କ୍ଷେତରାଜପୁର ପୋଦ୍ଦାର କଲୋନିର ଅମିତ ଭଲୋତିଆ(୪୨) ବୁଧବାର ମଧ୍ୟାହ୍ନ ୧୨ଟା ୪୫ରେ ଏକ ପିକ୍ଅପ୍ ଭ୍ୟାନ୍ (ଓଡି୨୩ ଡି ୩୫୪୩)ରୁ ଜିନିଷପତ୍ର ଓହ୍ଲାଉ ଥିଲେ। ଏହି ସମୟରେ ଏକ କାର୍ ଆସି ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେଇଥିଲା। ଫଳରେ ପିକ୍ଅପ୍ର କାଚଟି ଭାଙ୍ଗି ଯାଇଥିଲା। ଏହାପରେ ଉକ୍ତ କାର୍ରୁ ୬ ଜଣ ଯୁବକ ଓହ୍ଲାଇ କାମ କରୁଥିବା ଶ୍ରମିକ ବନ୍ଧନ ଛତ୍ରିଆଙ୍କୁ ମାଡ଼ ମାରିଥିଲେ। ଅମିତ ଅଟକାଇବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାଡ଼ ମାରିବା ସହିତ ଟଙ୍କା ମାଗିଥିଲେ। ପରେ ପିସ୍ତଲ ଓ ଛୁରି ଦେଖାଇ ଅଇଁଠାପାଲି ଥାନା ଅଧୀନ ନୂଆପଡ଼ାର ଏକ ତେଲ ମିଲ୍କୁ ଅପହରଣ କରି ନେଇଥିଲେ। ସେଠାରେ ତାଙ୍କୁ ଲୁହା ରଡ୍, କାଠ ବାଡ଼ିରେ ମାଡ଼ ମାରି କ୍ଷତାକ୍ତ କରିବା ସହ ମୁଣ୍ଡ ଫଟାଇ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଅମିତଙ୍କଠାରୁ ସୁନା ଚେନ୍ ଛଡ଼ାଇ ନେବା ସହ ତାଙ୍କ ପାଖରେ ଥିବା ୩ ହଜାର ଟଙ୍କା ଲୁଟି ନେଇଥିଲେ। ତେଲ ମିଲ୍ରେ ୨ ଘଣ୍ଟ ରଖିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଘର ପାଖରେ ଛାଡ଼ି ଦେଇଥିଲେ। ପୁଲିସକୁ କହିଲେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରି ଦେବେ ବୋଲି ଧମକ ଦେଇ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ରାତି ୯ଟା ୩୦ ସମୟରେ ଅମିତ ଏ ନେଇ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। କ୍ଷେତରାଜପୁର ଥାନା ଅଧିକାରୀ ମମତା ନାଏକ, ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ବାଳଙ୍କ ସମେତ ଏସ୍ଆଇ ଏସ୍ କେ ସାହୁ, ଏଏସ୍ଆଇ ଏସ୍ କେ ପ୍ରଧାନ ଓ ସାଇବର୍ ଏକ୍ସପର୍ଟ ବିନୋଦ ସାହୁ ମାମଲର ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗର ୬ ଘଣ୍ଟା ମଧ୍ୟରେ ପୁଲିସ ଟିମ୍ ଦୁର୍ବୃତ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଦୁର୍ବୃତ୍ତମାନେ ଗିରଫ ଭୟରେ ଜିଲ୍ଲା ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ଯୁଯୁମୁରା ନିକଟରେ ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଇଁଠାପାଲି ଥାନା ନୂଆପଡ଼ାର ଶୁକଦେବ ସୁନା(୨୮), ଧନୁପାଲି ଥାନା ପେନସନ୍ପଡ଼ାର ଅବଦୁଲ୍ ସାଜିଦ୍(୩୭), କ୍ଷେତରାଜପୁର ଥାନା ତାଲଭଟାପଡ଼ାର ଗୋଲୁ ବିଭାର(୨୦), ମିଲ୍ପଡ଼ାର ଜବଦୁ ଛତ୍ରପାଲ(୨୦) ଏବଂ ଟାଉନ୍ ଥାନାର ସଂକେତ ମିଶ୍ର(୨୦)। ପୁଲିସ ସେମାନଙ୍କ ପାଖରୁ ଅପହରଣରେ ବ୍ୟବହାର ହୋଇଥିବା କାର୍ (ଓଆର୍-୧୫ ପି-୯୩୧୪), ଗୋଟିଏ ଲୁହା ରଡ୍, ଗୋଟିଏ ଚାପଡ୍ ଓ ନଗଦ ୧୭୪୦ ଟଙ୍କା ଜବତ କରିଛି। ଗିରଫ ୫ ଜଣଙ୍କ ମଧ୍ୟରେ ୩ ଜଣ ପେଷାଦାର ଅପରାଧୀ ଅଛନ୍ତି। ଶୁକଦେବ ସୁନା ନାଁରେ ଥାନାରେ ୮ଟି ମାମଲା ରହିଥିବା ବେଳେ ସଙ୍କେତ ଓ ଗୋଲୁ ନାଁରେ ୪ଟି ଲେଖାଏଁ ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/WhatsApp-Image-2022-02-24-at-21.41.08.jpeg)