ମା’ ଟଙ୍କପାଣି ମନ୍ଦିରରୁ ୭ଟି ଅଷ୍ଟଧାତୁ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ, ରାମ ମନ୍ଦିରରୁ ଆଜ୍ଞାମାଳ ନେଇ ହେଲା ପୂଜାର୍ଚ୍ଚନା

ବାଲିଅନ୍ତା: ବାଲିଅନ୍ତା ଥାନା ଅଞ୍ଚଳରେ ଅଷ୍ଟଧାତୁ ମୂର୍ତ୍ତି ଲୁଟେରା ପୁଲିସ ଆଖିରୁ ନିଦ ହଜାଇ ଦେଇଛନ୍ତି। ପ୍ରତାପରୁଦ୍ରପୁର ସ୍ଥିତ ଆଖଣ୍ଡଳେଶ୍ବର ମନ୍ଦିର ଏବଂ କେନ୍ଦୁବିଲ୍ବସ୍ଥିତ ନୃସିଂହ ନାଥ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଯିବାର ଦୁଇ ସପ୍ତାହ ନପୂରୁଣୁ ଗତକାଲି ବିଳମ୍ବତ ରାତିରେ ଦୁର୍ବୃତ୍ତମାନେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଅଧୀନରେ ଥିବା ସ୍ଥାନୀୟ ଟଙ୍କପାଣି ମନ୍ଦିରରୁ ପୁଣି ୭ଟି ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ନେଇଛନ୍ତି। ଚୋରି ମୂର୍ତ୍ତି ମଧ୍ୟରେ ରହିଛି, ୧ଫୁଟ ଉଚ୍ଚତାର ଲକ୍ଷ୍ମୀ ମୂର୍ତ୍ତି, ଦେଢ଼ଫୁଟ ଉଚ୍ଚତାର ନାରାୟଣ ମୂର୍ତ୍ତି, ଦେଢ଼ଫୁଟ ଉଚ୍ଚତାର ମୂର୍ତ୍ତି ଚନ୍ଦ୍ରଶେଖର, ୧ ଫୁଟ ଉଚ୍ଚତାର ପାର୍ବତୀ ମୂର୍ତ୍ତି ସମେତ ୧ଫୁଟ ଉଚ୍ଚତାର ଚତୁର୍ଭୁଜା ଦୁର୍ଗା ମୂର୍ତ୍ତି। ଏଥିସହିତ ୮ ଇଞ୍ଚ ଉଚ୍ଚତାର ଆଣ୍ଠୁଆଗୋପାଳଙ୍କ ମୂର୍ତ୍ତି ଓ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି। ଚୋରି ମୂର୍ତ୍ତିର ଓଜନ ୧ କୁଇଣ୍ଟାଲ ଅଧିକ ବୋଲି ସୂଚନା ମିଳିଛି। ବଡ଼ କଥା ହେଉଛି ରାଧାଙ୍କ ମୂର୍ତ୍ତି ସମ୍ଭବତଃ ପିତ୍ତଳ ହୋଇଥିବାରୁ ଛାଡ଼ି ଚାଲିଯାଇଥିବା ଆଲୋଚନା ହେଉଛି। ଚୋରି ମୂର୍ତ୍ତିର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ବିଦେଶ ବଜାରରେ ଅଷ୍ଟଧାତୁ ମୂର୍ତ୍ତିର ଚାହିଦା ଯଥେଷ୍ଟ ବେଶୀ ହୋଇଥିବାରୁ ଲୁଟେରାମାନେ ଉପକଣ୍ଠ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ମନ୍ଦିର ଲୁଣ୍ଠନ କରି ଚାଲିଛନ୍ତି। ଆଜି ସକାଳେ ପୂଜକ ପ୍ରମୋଦ କୁମାର ପଣ୍ଡା ଓ ମାଳି ସେବାୟତ କୁନା ମହାପାତ୍ର ପୂଜାନୀତି ସଂପାଦନ କରିବାକୁ ଆସି ମନ୍ଦିରରୁ ଲୁଟ ହୋଇଯାଇଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ମନ୍ଦିର କମିଟି ପ୍ରମୁଖ ମହେନ୍ଦ୍ର କୁମାର ପଣ୍ଡା ଓ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଏସଂପକରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ, ଜୋନ-୪ ଏସିପି ପରେଶ କୁମାର ରାଉତ, ଏସଆଇ ରାକେଶ କୁମାର ସାମନ୍ତରାୟ ଓ ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲୀ ଖାନ, ପ୍ରମୁଖ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ତଦନ୍ତକାରୀ ଅଧିକାରୀ ବରିଷ୍ଠ ପୁଲିସ ଅଧିକାରୀ ନିକଟସ୍ଥ ରଙ୍ଗବଜାର ଓ ଆଖପାଖ ସ୍ଥାନରେ ଲାଗି ଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲେ ମଧ୍ୟ ଲୁଟେରାଙ୍କ ସଂପର୍କରେ ଏଯାଏ କୌଣସି ସୁରାକ ମିଳିପାରି ନାହିଁ। ସୂଚନା ଅନୁସାରେ ପୂଜାନୀତି ସଂପାଦନ ଦାୟିତ୍ବରେ ଥିବା ପୂଜକ ପ୍ରମୋଦ ପଣ୍ଡା ଗତକାଲି ସଂଧ୍ୟାରେ ଆଳତି ପରେ ମନ୍ଦିର ପହଡ଼ ପକାଇ ଘରକୁ ପଳାଇଥିଲେ। ହେଲେ ଦୁର୍ବୃତ୍ତମାନେ ମନ୍ଦିର ପଛପଟ ପାର୍ଶ୍ବ ଗ୍ରିଲ ତାଲା ଭାଙ୍ଗି ଟଙ୍କପାଣି ମନ୍ଦିର ଭିତରକୁ ପଶିଥିଲେ। ସୂଚନା ଅନୁସାରେ ଦେଢ଼ ଏକର ପରିମିତ ଅଞ୍ଚଳରେ ଥିବା ଆରାଧ୍ୟ ଦେବୀ ମା’ ଟଙ୍କପାଣି ମନ୍ଦିର ପରିସରରେ ରହିଛି ଲକ୍ଷ୍ମୀ ନାରାୟଣ ମନ୍ଦିର, ରାମ ମନ୍ଦିର , ମହାବୀର ମନ୍ଦିର ଏବଂ ଭାବକୁଣ୍ଡଳେଶ୍ବର ମନ୍ଦିର ।

ଗ୍ରାମବାସୀଙ୍କ ସୂଚନା ଅନୁସାରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଭିତରେ ସବୁ ଦେବ ଦେବୀଙ୍କ ଅଷ୍ଟଧାତୁ ମୂର୍ତ୍ତି ରହିଥିଲା। ହେଲେ ଦୁର୍ବୃତ୍ତମାନେ ମନ୍ଦିର ଳଳାକନା ବୁଲାଇଥିଲେ। ମୂର୍ତ୍ତି ଚୋରିଯିବା ପରେ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତଙ୍କ ପରାମର୍ଶକ୍ରମେ ରାମ ମନ୍ଦିରରୁ ଆଜ୍ଞାମାଳ ନେଇ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଅକ୍ଷୟ ତୃତୀୟା ଠାରୁ ପୀଠରେ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରା ପୂଜାବିଧି ୨୧ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରାଥମିକ ଭାବେ ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ଏସଂପର୍କରେ ପ୍ରତିକ୍ରିୟା ଦେଇ ଡିସିପି ପ୍ରତୀକ ସିଂହ କହିଲେ ପ୍ରାଚୀନ ମନ୍ଦିରରୁ ଦେବଦେବୀଙ୍କ ମୂର୍ତ୍ତି ଲୁଟ ଘଟଣାରେ ସଂପୃକ୍ତ ରାକେଟକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏହି ସ୍କ୍ବାର୍ଡ଼ ଉପକଣ୍ଠ ଅଞ୍ଚଳରେ ମୂର୍ତ୍ତି ଚୋରି ଘଟଣାର ଅନୁଧ୍ୟାନ କରିବ। ମନ୍ଦିର ଲୁଟ ଘଟଣାରେ ସଂପୃକ୍ତ ରାକେଟକୁ ଧରିବା ପାଇଁ ସବୁ ସ୍ତରରୁ ଚେଷ୍ଟା ଉଦ୍ୟମ ଚାଲିଛି। ଜିଲ୍ଲା କିମ୍ବା ଆନ୍ତର୍ଜାତୀୟ ରାକେଟର ସଂପୃକ୍ତି ରହିଛି ସେନେଇ ଏଯାଏ କିଛି ସ୍ପଷ୍ଟ ସୂଚନା ମିଳିନି। ମନ୍ଦିର ସୁରକ୍ଷା ଦୃଷ୍ଟିରୁ ମୂର୍ତ୍ତି ଚୋରି ରୋକିବା ନେଇ ସିସି କ୍ୟାମେରା ଲଗାଇବା ନେଇ ସବୁ ଥାନା ଅଧିକାରୀଙ୍କୁ କମିଟିକୁ ସତର୍କ କରାଇବାକୁ କୁହାଯାଇଛି। ଏହାଛଡ଼ା ମନ୍ଦିରରେ ଗ୍ରିଲ ତାଲା ମଜଭୁତ ଲଗାଇବା ନେଇ କମିଟିକୁ ଜଣାଯାଇଛି।

୫ ବର୍ଷ ତଳେ ମନ୍ଦିରରୁ ଚୋରି ଯାଇଥିଲା ଗଣେଷ ମୂର୍ତ୍ତି
ଗତ ୫ ବର୍ଷ ତଳେ ସ୍ଥାନୀୟ ଟଙ୍କପାଣି ମନ୍ଦିର ପରିସରରେ ଥିବା ଅଗ୍ରପୂଜ୍ୟ ୨ଫୁଟ ଉଚ୍ଚତାର କଳା ମୁଗୁନି ପଥରରେ ନିର୍ମିତ ଗଣେଷ ମୂର୍ତ୍ତି ଚୋରି ଯାଇଥିଲା। ଏହା ମଧ୍ୟରେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଚୋରି ମୂର୍ତ୍ତି ଉଦ୍ଧାର ହୋଇପାରିଲା ନାହିଁ। ପୁଲିସ ଚୋରି ମୂର୍ତ୍ତି ଉଦ୍ଧାର କରିବାରେ ବିଫଳ ହେବାରୁ ମନ୍ଦିର କମିଟି ନୂଆ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା ଚାଲିଛି। ୬ ମାସ ମଧ୍ୟରେ ୫ ମନ୍ଦିରରୁ ୩୯ ଅଷ୍ଟଧାତୁ ମୂର୍ତ୍ତି ଲୁଟ:ବାଲିଅନ୍ତା ଥାନା ଅଞ୍ଚଳରେ ଗତ ୬ ମାସ ଭିତରେ ୫ଟି ପ୍ରାଚୀନ ମନ୍ଦିରରୁ ୩୯ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ଯାଇଛି। ଡିସେମ୍ବର ମାସ ୧ ତାରିଖରେ ଭିଙ୍ଗାରପୁର ଚୌଧୂରୀ ବଂଶର ୩୦୦ ବର୍ଷର ଗୋପୀନାଥ ମନ୍ଦିରରୁ ୧୨ଟି ଅଷ୍ଟଧାତୁ ଏବଂ ୧୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ ହୋଇଯାଇଥିଲା। ଫେବ୍ରୁଆରୀ ମାସ ୨ ତାରିଖରେ ବାଳକାଟି ସ୍ଥିତ ବାଲୁଙ୍କେଶ୍ବର ମନ୍ଦିରରୁ ଚନ୍ଦ୍ରଶେଖର ଓ ପାର୍ବତୀଙ୍କ ମୂର୍ତ୍ତି ଚୋରି କରି ନେଇଥିଲେ। ଏପ୍ରିଲ ମାସ ୨୮ ତାରିଖରେ ପ୍ରତାପରୁଦ୍ରପୁର ସ୍ଥିତ ଆଖଣ୍ଡଳେଶ୍ବର ମନ୍ଦିରରୁ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ସମେତ ୩ଟି ପାର୍ବତୀଙ୍କ ମୂର୍ତ୍ତି ଏବଂ ଗୋଟିଏ ଆଣ୍ଠୁଆ ଗୋପାଳ ମୂର୍ତ୍ତି ଚୋରି ଯାଇଥିଲା। ସେହିଦିନ ରାତିରେ କେନ୍ଦୁବିଲ୍ବ ସ୍ଥିତ ନୃସିଂହ ନାଥ ମନ୍ଦିରରୁ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ଯାଇଥିଲା। ହେଲେ ପୁଲିସ ଏଯାଏ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ପାଖରେ ପହଞ୍ଚି ପାରି ନାହିଁ।

ସମ୍ବନ୍ଧିତ ଖବର