ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳ ଅପରାଧୀଙ୍କ ପାଇଁ ଭୂସ୍ଵର୍ଗ ପାଲଟିଛି।  ଚୋରି , ଲୁଟ , ରାହାଜାନୀ ବଢିବାରେ ଲାଗିଛି । ଲୁଟେରା ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି । ପୁଲିସ ଲୁଟେରାଙ୍କୁ କାବୁ କରିବାରେ ଅକ୍ଷମ ପାଲଟିଛି । ଆଜି ଅପରାହ୍ନ ସମୟରେ ଭାକରସାହି ପଞ୍ଚାୟତ ଖଇରୀପୁର ମହାନ୍ତି ସାହି ଗଡା ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ ଝାମ୍ପି ନେଇଛନ୍ତି । ଚଣାହଟ୍ଟା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜେନା ଲୁଟର ଶିକାର ହୋଇଛନ୍ତି । ପୁଲିସ ଘଟଣାସ୍ଥଳକୁ ଯାଇ ବୁଲି ଦେଖିଛି ।

Advertisment

ସୂଚନାଅନୁସାରେ , ଗଡ଼ଚାରିପଡା ଗ୍ରାମର ସନ୍ଧ୍ୟା ରାଣୀ ଜେନା ଚଣାହଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି । କିଛି ଦିନ ହେବ ସେ ବାଲିପାଟଣା ଶ୍ରୀ ବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ଯାଇଥିଲେ। । ଆଜି ସ୍କୁଲ ଛୁଟି ହେବା ପରେ ବାଲିପାଟଣା ଛକରୁ ଏକ ଅଟୋ ଯୋଗେ ବନମାଳୀପୁର ଯାଉଥିଲେ । ଅଟୋ ଟି ବଟ ଛକରୁ ହଠାତ ନଦୀ ବନ୍ଧରେ ଯାଇଥିଲା । ଏବଂ ଖଇରୀପୁର ମହାନ୍ତି ସାହି ଗଡା ଠାରେ ଶିକ୍ଷୟିତ୍ରୀଙ୍କୁ ଛାଡ଼ି ଚାଲି ଯାଇଥିଲା ।

ସେ ଗଡା଼ରୁ ଓହ୍ଲାଇ ଚାଲିଚାଲି ଯାଉଥିବା ସମୟରେ ହଠାତ ୨ ଜଣ ଯୁବକ ଏକ ବାଇକରେ ଆସି ତାଙ୍କ ବେକରୁ ଚେନ ଝାମ୍ପି ଫେରାର ହୋଇଯାଇଥିଲେ । ଚେନଟିର ଓଜନ ୧୨ ଗ୍ରାମର ହେବ ବୋଲି ଜଣାପଡିଛି । ସୂଚନା ପାଇ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଏହି ଲୁଟ ପଛରେ ଅଟୋ ଚାଳକଙ୍କ ସମ୍ପୃକ୍ତି ଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ଅନେକ ଚେନ ଲୁଟ ହୋଇଛି । ଗୋଟିଏ ବି ଘଟଣାରେ ପୁଲିସ ଖୁଲାସା କରିପାରି ନାହିଁ ।