ଜୟପୁର: ଦୁଇଦିନ ତଳେ ଜୟପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀ ମନ୍ଦିରରେ ହୋଇଥିଲା ଚୋରି । ମନ୍ଦିର ମଧ୍ୟରେ ଥିବା ମା’ଙ୍କ ଆସ୍ଥାନ ନିକଟରେ ଦୁର୍ବୁତ୍ତ ମାନେ ପଶି ମା ଙ୍କ ଦୁଇହାତରୁ ୯ଟି ରୁପା ଚୁଡ଼ି ଓ ଦାନହୁଣ୍ଡିକୁ ନେଇ କି ଯାଇଥିଲେ। ତେବେ ମନ୍ଦିରର ପଛ ପାର୍ଶ୍ବରେ ୯ଟି ଯାକ ରୁପା ଚୁଡ଼ି ପିଙ୍ଗି ଦେଇ ଦାନ ହୁଣ୍ଡିରୁ ୫ରୁ ୬ହଜାର ଟଙ୍କା ମଧ୍ୟରେ ଚୋରି କରି ନେଇଯାଇଥିଲେ। ଏହି ମାମଲାରେ ପୁଲିସକୁ ଘଟଣାର ୨୪ଘଣ୍ଟା ପରେ ବି କିଛି ସୁରାକ୍ ମିଳି ପାରିନି। ପୁଲିସ କୁକୁର ଆସି ବୁଲି ଯାଇଥିଲେ ହେଁ କିଛି ସଫଳତା ମିଳି ପାରିନି।

Advertisment

ସୂଚନା ମୁତାବକ, ପଅରଦିନ ଦେବସ୍ନାନ ପୁର୍ଣ୍ଣିମା ପାଇଁ ଚତୁର୍ଦ୍ଧାମୂର୍ତ୍ତିକୁ ସ୍ନାନମଣ୍ଡପକୁ ନେଇ ସ୍ନାନ ସାରିବା ପରେ ଗଜାନନ ବେଶ କରାଯାଇଥିଲା। ସର୍ବସାଧାରଣ ଦର୍ଶନ ପରେ ଜଗନ୍ନାଥମନ୍ଦିର, ବଲ୍ଲଭନାରାୟଣ ମନ୍ଦିର ଓ ମା ଭଗବତୀ ମନ୍ଦିରର ପୂଜକ ଧିରେନ୍ଦ୍ର ନାରାୟଣ ରଥ ଆଦି ସବୁ ସେବାୟତ ଆଦି ରାତି ୧୨ଟା ୪୦ ପର୍ଯ୍ୟନ୍ତ ରହି ଚାରି ଠାକୁରଙ୍କୁ ଅଣସର ଘରକୁ ବିଜେ କରାଇ ଫେରିଥିଲେ। ଗତକାଲି ସକାଳୁ ସେବାୟତମାନେ ମନ୍ଦିରର ଚାବି ଖୋଲି ଦେଖିବା ବେଳେ ସମ୍ମୁଖ କବାଟ୍ ଖୋଲାଥିବା ବେଳେ ଭିତରରେ ମାଙ୍କ ବାମହାତର ୫ରୁ ଚାରିଟି ଓ ଡାହାଣ ହାତର ୫ଟି ଏଭଳି ୯ଟି ରୁପା ଚୁଡ଼ି ନଥିବା ଦେଖିଥିଲେ।

ସେମାନେ ଏହା ସହ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ବି ନଥିଲା। ଏ ନେଇ ଜୟପୁର ଟାଉନଥାନାରେ ଏତଲା ଦିଆଯାଇଥିଲା। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ଘଟଣାର ୨୪ଘଣ୍ଟା ପରେ ବି କିଛି ସୁରାକ୍ ମିଳି ପାରିନି ବୋଲି କହିଛନ୍ତି ଜୟପୁର ଟାଉନଥାନା ଅଧିକାରୀ ରମଣୀ ରଂଜନ ଦଳାଇ। ତେବେ ଏପରି କାଣ୍ଡ କିଏ ଭିଆଇଛି ତାହାର ତଦନ୍ତ କରି ଦୋଷୀକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।