ହିନ୍ଦୋଳ : ହିନ୍ଦୋଳ ଉପଖଣ୍ତ ସାତମାଇଲସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଆଖ ପାଖ ଅଂଚଳ ଏବେ ଲୁଟେରାଙ୍କର ଭୂସ୍ୱର୍ଗ ପାଲଟିଛି । ମଙ୍ଗଳବାର ଅପରାହ୍ନରେ ନିକଟସ୍ଥ ନୂଆବଗ ଗ୍ରାମ ଅନ୍ତର୍ଗତ ବାହାଲୁଣ୍ତା ଗ୍ରାମର ଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀର ନର୍ମଦା ବିଶ୍ୱାଳ ଗ୍ରୁପ ଋଣ ବାବଦରେ ୩ଲକ୍ଷ ଟଙ୍କା ଉଠାଣ କରି ବାହାରକୁ ଆସିବା ସମୟରେ ୧୦୦ମିଟର ଦୂରତାରେ ଦୁଇ ଲୁଟେରା ଅତର୍କିତ ଭାବେ ଏକ ପଲସରରେ ଆସି ତାଙ୍କ ନିକଟରେ ଥିବା ବ୍ୟାଗକୁ ଝାମ୍ପିନେଇ ପଳାଇଯାଇଥିଲେ ।
ଏହି ଘଟଣାର ୫ଦିନ ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତି ଏହି ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ଫେରୁଥିବା ସମୟରେ ତାଙ୍କଠାରୁ ମଧ୍ୟ ଲୁଟ ହୋଇଥିଲା । ନିକଟରେ ଗୋଟିଏ ପୋଲିସ୍ ବିଟ ହାଉସ ଥିଲେ ମଧ୍ୟ ଲୁଟେରା ମାନେ ଅବାଧରେ ଗୋଟିଏ ପରେ ଗୋଟିଏ ଅପରାଧ କରିଚାଲିଛନ୍ତି । ଏନେଇ ପୋଲିସ କାହାକୁ ଧରିପାରିନଥିବା ସମୟରେ ଆଜିର ଘଟଣାରେ ପୋଲିସ୍ ବ୍ୟାଙ୍କ ରେ ପହଞ୍ଚି ସିସିଟିଭି ଫୁଟେଜ ଚେକ୍ କରିବା ସହ ତଦନ୍ତ ଜାରିରହିଥିବା ଜଣାପଡିଛି । ଉକ୍ତ ଅଂଚଳରେ ପୋଲିସ ପେଟ୍ରୋଲିଂ କଡାକଡି କରାଯିବାକୁ ସାଧାରଣରେ ଦାବି ହେଉଛି ।