ରାଇରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ଅତ୍ୟଧିକ ବିଜୁଳି କାଟ, ସହିତ ବିଭିନ୍ନ ପ୍ରକାର ଘଟଣାକୁ ନେଇ ବିଜୁଳି ବିଭାଗ ବିରୁଦ୍ଧରେ ଗୁରୁତର ଅଭିଯୋଗ ହେଉଛି । କିନ୍ତୁ ବିଦ୍ୟୁତ ବିଭାଗର କିଛି ଅସାଧୁ ଠିକାଦାର ଓ କର୍ମଚାରୀ କିଭଳି ଚୋର ସାଜି ନିଜେ ହିଁ ବିଦ୍ୟୁତ ଉପକରଣ ଚୋରି କରୁଛନ୍ତି ତାହାର ପ୍ରମାଣ ମିଳିଛି | ଦିନରେ ବିଦ୍ୟୁତ ଠିକା କାମ କରନ୍ତି ଏବଂ ରାତିରେ ତାର ଓ ବିଦ୍ୟୁତ ସାମଗ୍ରୀ ଚୋରି କରନ୍ତି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଇଲେକ୍ଟ୍ରି ଟ୍ରାନ୍ସଫର୍ମର ଚୋରି ହୋଇଥିବାର ବିଦ୍ୟୁତ ବିଭାଗର ସମିର ଆଚାର୍ଯ୍ୟ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀଣି ମିନି ଭୋଇ, ବିଭିନ୍ନ ସ୍ଥାନରେ ଚଢାଉ କରି ୯ ଆନ୍ତ୍ଃ ଜିଲ୍ଲା ଚୋର ଗୋଷ୍ଠୀକୁ ଧରିବା ସହିତ ବିପୁଳ ପରିମାଣରେ ଚୋରି ଇଲେକ୍ଟ୍ରି ସାମଗ୍ରୀ ଓ ଚୋରିରେ ବ୍ୟବହାର ହେଉଥିବା ଦୁଇଟି ପିକ୍ଅପ ଭ୍ୟାନ,ମାରୁତି ସୁଇଫ୍ଟ ଡିଜାୟାର,୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଚୋରି ତାରକୁ ଜବତ କରିଛନ୍ତି।

Advertisment

ଏହି ଚୋରମାନଙ୍କ ମଧ୍ୟରେ କେତେଜଣ ଦିନବେଳେ ଠିକା ଇଲେକ୍ଟ୍ରି କଣ୍ଟ୍ରାକ୍ଟର ଭାବରେ କାମ କରନ୍ତି ଓ ରାତିରେ ପୁଣି ସେମାନେ କିଛି ପିଲାଙ୍କୁ ପାଥେୟ କରି ସେହି ଇଲେକ୍ଟ୍ରି ସାମଗ୍ରୀକୁ ଚୋରି କରି ବିଭିନ୍ନ କବାଡିଖାନାରେ ବିକ୍ରି କରିଥାନ୍ତି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବାଙ୍ଗିରିପୋଷି ଥାନା ଗୋସାଣୀ ପାଳ ଗ୍ରାମର ଅସିତ୍ କୁମାର ସାହୁ, ବାପୁନ୍ ମାରାଣ୍ଡି,ଜିତେନ୍ ସିଂ,ସୁକୁନ ସିଂ,ରୁଇଟୁ ସିଂ,ଆଶିଷ ସିଂ ଓ କରଞ୍ଜିଆ ଥାନା ଅନ୍ତର୍ଗତ ଘୋସଡା ଗ୍ରାମର ଏମ୍ ଡି ଇମାନିନ୍ ଖାନ, ଜାଭେଦ୍ ଖାନ୍ ସହିତ କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ପୁରୁମୁଣ୍ଡା ଗ୍ରାମର ଚନ୍ଦନ କୁମାର ସାହୁଙ୍କୁ ଗିରଫ କରି କେସ୍ ନମ୍ବର ୭୬/୨୩ରେ ଆଇପିସି ଧାରା ୩୭୯/୪୧୧/୧୨୦/୩୪ରୁଜୁ କରି ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଗୋକୁଳାନନ୍ଦ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।