ସୁନା ଚେନ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟଙ୍କ ସହ ସୁନା ବେପାରୀ ଗିରଫ

ଖୋର୍ଦ୍ଧା: ଆଜି ଜଟଣୀ ପୁଲିସ ସୁନା ଚେନ୍ ଲୁଟେରା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କ ସହ ସେମାନଙ୍କଠାରୁ ସୁନା କିଣିଥିବା ଜଣେ ସୁନା ବ୍ୟବସାୟୀଙ୍କୁ ଗିରଫ କରିଛି ।
ଜଟଣୀ ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗତ ମାସ ୨୪ ତାରିଖରେ ଜଟଣୀ ଆନ୍ଧ୍ର ବ୍ୟାଙ୍କ ନିକଟରୁ ଫକିର ଚରଣ ନାୟକ, ତାଙ୍କ ପତ୍ନୀ ଓ ପୁଅ ମୋଟର ସାଇକଲରେ ଯାଉଥିବା ସମୟରେ ୨ଜଣ ଲୁଟେରା ପଲସର ମୋଟର ସାଇକେଲରେ ଆସି ଫକିରଙ୍କ ପତ୍ନୀଙ୍କ ବେକରୁ ସୁନା ଚେନଟିକୁ ଛଡ଼ାଇ ନେଇଯାଇଥିଲେ । ଏନେଇ ପୁଲିସ ୪୯୨/୨୦୨୧ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏହା ପୂର୍ବରୁ ଅନୁରୂପ ଏକ ଘଟଣାରେ ସୀତାରାମ ଛକ ନିକଟରୁ ଗୀତାଞ୍ଜଳି ସାହୁଙ୍କଠାରୁ ମଧ୍ୟ ୨ଜଣ ଲୁଟେରା ପଲସର ମୋଟର ସାଇକଲରେ ଆସି ସୁନା ଚେନ୍ ଲୁଟିନେଇଥିଲେ । ଏନେଇ ପୁଲିସ ୪୭୮/୨୦୨୧ରେ ଏକ ମାମଲା ରୁଜୁ କରିଥିଲା । ଦୁଇଟି ଘଟଣାର ତଦନ୍ତ ବେଳେ ଏଥିରେ ସମ୍ପୃକ୍ତ ଥିବା ଲୁଟେରାଙ୍କ ସମ୍ପର୍କରେ ଜଣାପଡ଼ିଥିଲା ।

ଆଜି ଏହି ଦୁଇଟି ମାମଲାରେ ପୁଲିସ ଗଡ଼ଖୋର୍ଦ୍ଧାର ଚନ୍ଦନ ନାୟକ ଓରଫ ବାଳୁଆ (୨୬), ଭଗବାନ ନାୟକ ଓରଫ ଟିକିଆ (୨୪) ଓ ମହାବୀର ମାଲ୍ଲା (୨୬)ଙ୍କୁ ଗିରଫ କରିଥିଲା । ପଚରାଉଚୁରାରେ ସେମାନେ ଲୁଟିଥିବା ସୁନା ଚେନ୍ଗୁଡ଼ିକୁ ସୁଦାମ ସାହୁ ନାମକ ଏକ ସୁନାବେପାରୀକୁ ବିକ୍ରି କରିଥିବା କହିଥିଲେ । ପରେ ପୁଲିସ ସୁଦାମ ସାହୁଙ୍କୁ ଗିରଫ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧିତ ଖବର