ରାୟଗଡ଼ା: ରାୟଗଡ଼ା ପୁଲିସ୍ କବଜାରେ ସୁନା ଲୁଟେରା ଗ୍ୟାଙ୍ଗ। ୩ ଲୁଟେରା ସହ ଚୋରି ସୁନା କିଣିବା ଅଭିଯୋଗରେ ୩ ବ୍ୟବସାୟୀ ମୋଟ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଲୁଟେରାମାନେ ହେଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ସୁଦର୍ଶନ କନ୍ଧପାଣି, ରାୟଗଡ଼ା ଜିଲ୍ଲା କାଶୀପୁରର ଶଙ୍କର ନାୟକ, କଲ୍ୟାଣସିଂହପୁରର ଯୁଧିଷ୍ଠିର କୌଶଲ୍ୟା। ସେହିପରି ଚୋରି ସୁନା କିଣିବା ଅଭିଯୋଗରେ ପୁଲିସ୍ ରାୟଗଡ଼ା ପାଇକ ସାହିର ବି. ଶଙ୍କର ରାଓ, ଆନ୍ଧ୍ରପ୍ରଦେଶ ପାର୍ବତୀପୁରମର ପି. ସୂର୍ଯ୍ୟ ନାରାୟଣ, କୋରାପୁଟ ଟିକିରା ସାହିର ମଧୁ ଖରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୩ ଲୁଟେରା ବାଇକ୍ ଚୋରି ରାକେଟ୍ ସହ ଅନ୍ୟ ମାମଲାରେ ସଂପୃକ୍ତ ଥିବାରୁ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ରାୟଗଡ଼ା ପୁଲିସ୍ କୋର୍ଟରେ ଆବେଦନ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ। ସପ୍ତାହକ ମଧ୍ୟରେ ରାୟଗଡ଼ା ସହରର ୩ଟି ସ୍ଥାନରୁ ସୁନା ଚେନ୍ ଲୁଟି ନେଇଥିଲେ ଏହି ଲୁଟେରା ଗ୍ୟାଙ୍ଗ୍। ଲୁଟେରା ଗ୍ୟାଙ୍ଗ ରାୟଗଡ଼ା କଲେଜ ନିକଟରେ ଏକ ଘର ଭଡ଼ା ନେଇ ରାକେଟ୍ ଚଲାଇଥିଲେ। ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ କଲେଜ ଛାତ୍ର ରହିଛି। ଗତ କିଛି ମାସ ହେଲା ସକାଳୁ ଏକାକି ଫୁଲ ତୋଳୁଥିବା ମହିଳାଙ୍କୁ ଟାର୍ଗେଟ୍ କରି ଏହି ଲୁଟେରା ଗ୍ୟାଙ୍ଗ୍ ସଦସ୍ୟ ବଜାଜ୍ ଆପାଚି ଓ ୟାମାହା ବାଇକରେ ସହରର ଗଳି କନ୍ଦି ବୁଲି ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରୁଥିବା ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଆଇବି ଡିଏସପି ସୁଦାମ ମଲ୍ଲିକ୍।

Advertisment

ଗିରଫ ଚୋରଙ୍କ ନିକଟରୁ ପୁଲିସ୍ ୪୯ ଗ୍ରାମ ସୁନା ସହ, ୪୮ ହଜାର ଟଙ୍କା, ଦୁଇ ବାଇକ୍, ୫ ମୋବାଇଲ୍ ପୁଲିସ୍ ଜବତ କରିଛି। ଫେବ୍ରୁଆରୀ ୧ ତାରିଖ ସକାଳେ ରାୟଗଡ଼ା ଟ୍ରେଜେରି ଲାଇନରୁ ସଞ୍ଜୁକ୍ତା ବକ୍ସିପାତ୍ରଙ୍କ ବେକରୁ ୩୭ ଗ୍ରାମର ସୁନା ଚେନକୁ ଲୁଟି ନେଇଥିଲେ ଏହି ଗ୍ୟାଙ୍ଗର ସଦସ୍ୟ। ଏହା ପରେ ସହରର ଅନ୍ୟ ଏକ ସ୍ଥାନରୁ ମଧ୍ୟ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରିଥିଲେ। ସେହିପରି ୭ ତାରିଖରେ ସିଗାରେଟ୍ କିଣିବା ବାହାନାରେ ଇନ୍ଦିରା ନଗର ୪ର୍ଥ ଲାଇନରେ ଥିବା ଦୋକାନ ମାଲିକ ଭି. ଅରୁଣାଙ୍କ ବେକରୁ ୭ ଭରି ସୁନା ଚେନ୍ ଲୁଟି ନେଇଥିଲେ ଗ୍ୟାଙ୍ଗ୍ ସଦସ୍ୟ। ୨୦୨୨ ଜୁଲାଇ ୧୬ ତାରିଖରେ ସାଇପ୍ରିୟା ନଗରରୁ ରାଜେଶ ରାଉତଙ୍କ ଘରୁ ହୋଇଥିବା ଚୋରି ମାମଲାରେ ଏହି ଗ୍ୟାଙ୍ଗ ସଦସ୍ୟଙ୍କ ସଂପୃକ୍ତି ରହିଛି। ଅଭିଯୋଗ ପରେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରଥମେ ଯୁଧିଷ୍ଠିର କୌଶଲ୍ୟାକୁ ଗିରଫ କରିଥିଲା। ଏହା ପରେ ଅନ୍ୟ ୨ ଲୁଟେରାଙ୍କ ସହ ଚୋରି ସୁନା କିଣିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଚୋରି ସୁନା ଉଦ୍ଧାର ପରେ ଅଭିଯୋଗକାରୀ ଗୋପ ରଞ୍ଜନ ବକ୍ସିପାତ୍ରଙ୍କୁ ଆଜି ପୁଲିସ୍ ହସ୍ତାନ୍ତର କରିଛି। ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନଙ୍କ ସହ ଏସଆଇ ବିକାଶ ପଟେଲ୍, କ୍ଷୀରୋଦ ଚନ୍ଦ୍ର ସାହୁ, ସଞ୍ଜୟ କୁମାର ଛତର ମାମଲାର ତଦନ୍ତ କରୁଥିଲେ। ଗିରଫ ୩ ଲୁଟେରା ରିମାଣ୍ଡରେ ଆସିବା ପରେ ଅନ୍ୟ ମାମଲାର ପର୍ଦାଫାଶ୍ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।