ରାୟଗଡ଼ା: ୧୩୬ ସୈରାତରୁ କାର୍ଯ୍ୟକ୍ଷମ ହୋଇଛି ୫୯। ନିଲାମ ପ୍ରକ୍ରିୟା, ପରିବେଶ ମଞ୍ଜୁରି, କଞ୍ଚାମାଲର ଅଭାବ ଏବଂ ଅନ୍ୟାନ୍ୟ କାରଣ ପାଇଁ ବନ୍ଦ ପଡିଛି ୭୭ ସୈରାତ। ସରକାରୀ କାଗଜପତ୍ରରେ ବନ୍ଦ ଥିବା ଏହି ସୈରାତ ଏବେ ମାଫିଆଙ୍କ ଚରାଭୂଇଁ ପାଲଟିଛି। ଦିନରାତି ସୈରାତରୁ ଲକ୍ଷାଧିକ ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟି ମାଫିଆ ମାଲାମାଲ ହେଉଥିବା ବେଳେ ରାଜସ୍ବ ହରାଉଛି ପ୍ରଶାସନ। ରାୟଗଡ଼ା ଜିଲ୍ଲା ରାଜସ୍ବ ଆଦାୟର ମେରୁଦଣ୍ଡ ଲଘୁ ଖଣିଜ ସମ୍ପଦ ସୈରାତ। ଜିଲ୍ଲା ରାଜସ୍ବର ସିଂହଭାଗ ବିଭିନ୍ନ ଖଣି, ଖାଦାନ, ଲଘୁ ଖଣିଜ ସମ୍ପଦ ସୂତ୍ରରୁ ଆସିଥାଏ। କିନ୍ତୁ ଜିଲ୍ଲାର ଅଧାରୁ ଅଧିକ ସୈରାତ ବିଭିନ୍ନ କାରଣ ପାଇଁ ନିଲାମ ନ ହୋଇ ପଡି ରହିଥିବାରୁ ରାଜସ୍ବ ଆଦାୟ ଶତ ପ୍ରତିଶତ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ମିଳିଥିବା ସୂଚନାନୁଯାୟୀ, ରାୟଗଡ଼ା ତହସିଲ ଅଧୀନରେ ରହିଛି ୩୬ଟି ସୈରାତ। ସେଥିରୁ ୧୮ ସୈରାତର ନିଲାମ ସରିଛି। ସିଆ (ଷ୍ଟେଟ୍ ଏନଭାଇରନମେଣ୍ଟ୍ ଇମ୍ପାକ୍ଟ ଆସୋସମେଣ୍ଟ୍ ଅଥରିଟ୍) ନିକଟରେ ୧୧ ସୈରାତ ଅନୁମୋଦନ ଅପେକ୍ଷାରେ ପଡିଛି। ଖଣିଜ ସମ୍ପଦ ଅଭାବରୁ ୨ଟି ସୈରାତର ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ତହସିଲ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଅନ୍ୟ ୩ଟି ସୈରାତ ବାରମ୍ବାର ଟେଣ୍ଡର ଡାକିବା ସତ୍ତ୍ବେ କେହି ଅଂଶଗ୍ରହଣ କରୁନଥିବା ଜଣାପଡିଛି।

Advertisment

ରାୟଗଡ଼ା ଭଳି ଜିଲ୍ଲାର ଅନ୍ୟ ୧୦ ତହସିଲରେ ସମାନ୍ ଅବସ୍ଥା। କୋଲନରା ତହସିଲର ୩୦ ସୈରାତରୁ ୭ଟି ଚାଲିଥିବା ବେଳେ ୨୩ଟି ବନ୍ଦ ପଡିଛି। ୧୧ଟି ସିଆ, ୫ଟି ବନ୍ଦ ଅବସ୍ଥା ଏବଂ ୪ଟି ଅନ୍ୟ କାରଣ ପାଇଁ ଟେଣ୍ଡର ହୋଇପାରିନି। କଲ୍ୟାଣସିଂହପୁରର ୭ଟି ସୈରାତରୁ ୪ଟି ଚାଲିଛି। ଗୁଣପୁର ତହସିଲର ୧୪ଟି ସୈରାତରୁ ୯ଟି, କାଶୀପୁରରୁ ୯ଟି ସୈରାତରୁ ୩ଟି, ଗୁଡାରିର ୫ଟି ସୈରାତରୁ ୪ଟି, ପଦ୍ମପୁରର ୮ଟି ସୈରାତରୁ ୩ଟି, ରାମନାଗୁଡାର ୩ଟି ସୈରାତରୁ ଗୋଟିଏ, ବିଷମକଟକରୁ ୬ଟି ସୈରାତରୁ ୪ଟି, ମୁନିଗୁଡାର ୧୨ଟି ସୈରାତରୁ ୫ଟି, ଚନ୍ଦ୍ରପୁରର ୬ଟି ସୈରାତ ମଧ୍ୟରୁ ଗୋଟିଏ ସୈରାତର ଟେଣ୍ଡର ପ୍ରକ୍ରିୟା ସରିଛି। ୧୧ ତହସିଲ ଅଧୀନରେ ବନ୍ଦ ପଡିଥିବା ୭୭ ସୈରାତରୁ ଲିଜ୍ ଏଗ୍ରିମେଣ୍ଟ୍ ଅନୁମୋଦନ ଅପେକ୍ଷାରେ ୫ଟି ସୈରାତ, ସିଆ ପାଖରେ ୨୭ଟି, ଅକ୍ସନ୍ ଅପେକ୍ଷାରେ ୬ଟି, ୫ଟି ମାଇନିଂ ପ୍ଲାନ୍ ଅପେକ୍ଷାରେ ରହିଛି। ସେହିପରି କଞ୍ଚା ମାଲ ମହଜୁଦ୍ ନଥିବା ଦର୍ଶାଇ ୧୬ଟି ସୈରାତକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ତହସିଲଦାର। ତେବେ ଟେଣ୍ଡର ନ ହୋଇ ବନ୍ଦ ଥିବା ଅଧିକାଂଶ ସୈରାତରୁ ଦିନ ରାତି ଲୁଟ୍ ହେବାରେ ଲାଗିଛି ଲଘୁ ଖଣିଜ ସମ୍ପଦ। ବାଲି, ପଥର ସହ ମୂଲ୍ୟବାନ ପଥର ଖଣିରୁ ମାଫିଆମାନେ ସତର୍କତାର ସହ ଲୁଟତରାଜ ଚଲାଇଛନ୍ତି। ଯାହାର ସୁରାକ୍ ପାଇ ମଧ୍ୟ ଚୁପ୍ ବସିଛି ରାଜସ୍ବ ବିଭାଗ।

ପଦକ୍ଷେପ ସ୍ବରୂପ କିଛି ସୈରାତରେ ଚଢ଼ାଉ କରି ଜରିମାନା ଆଦାୟ ସହ ଗାଡି ଜବତ କରିଛି ବିଭାଗ। କିନ୍ତୁ ଉକ୍ତ ଚଢ଼ାଉ ଧର୍ମକୁ ଆଖି ଠାର ସଦୃଶ୍ୟ ହୋଇଥିବାରୁ ରାୟଗଡ଼ା ରାଜସ୍ବ ହରାଇବାରେ ଲାଗିଛି। ୨୦୨୨-୨୩ ଆର୍ଥିକ ବର୍ଷର ଅଗଷ୍ଟ ସୁଦ୍ଧା ବକେୟା ଓ ନୂଆ ରାଜସ୍ବ ମିଶାଇ ୩୯ କୋଟି ୯୦ ଲକ୍ଷ ୬୭ ହଜାର ୮୭୮ ଟଙ୍କା ରାଜସ୍ବ ଆଦାୟ ଲକ୍ଷ୍ୟ ଥିଲା। ସେଥି ମଧ୍ୟରେ ବକେୟା ବାବଦକୁ ୨ କୋଟି ୭୩ ଲକ୍ଷ ୫୩ ହଜାର ୫୭୧ ଏବଂ ନୂତନ ରାଜସ୍ବ ବାବଦକୁ ୩୭ କୋଟି ୧୭ ଲକ୍ଷ ୧୪ ହଜାର ୩୦୬ ଟଙ୍କା ରହିଛି। ଅଗଷ୍ଟ ଶେଷ ସୁଦ୍ଧା ୧୮.୧୮ ପ୍ରତିଶତ ହାରରେ ରାଜସ୍ବ ବାବଦକୁ ଆଦାୟ ହୋଇଛି ମାତ୍ର ୭ କୋଟି ୨୫ ଲକ୍ଷ ୩୮ ହଜାର ୫୮୪ ଟଙ୍କା। ବକେୟା ବାବଦକୁ ୬୬ ହଜାର ୭୮୩ ଟଙ୍କା ଏବଂ ନୂତନ ରାଜସ୍ବ ବାବଦକୁ ୭ କୋଟି ୧୮ ଲକ୍ଷ ୭୭ ହଜାର ୮୦୧ ଟଙ୍କା ମିଳିଛି।