କାଳ ହେଲା କାଳବୈଶାଖୀ; ପବନରେ ଝଡ଼ିଗଲା ବର୍ଷକର ରୋଜଗାର

ମାଲକାନଗିରି: ରଜ ପୂର୍ବରୁ ବଗିଚାରେ ଲାଗିଥାଏ ଲୋକଙ୍କ ଭିଡ। ମାଲକାନଗିରି ଓ ବାଲିମେଳା ସହର ବେପାରୀ ଆସି ନେଇ ଯାଆନ୍ତି ଆମ୍ବ। ବଳକାକୁ ରାସ୍ତାକଡ଼ରେ ବସି ବିକ୍ରି ହୋଇ ଯାଇଥାଏ। ସୁବ ବର୍ଷ ପରି ଚଳିତବର୍ଷ ମଧ୍ୟ ଭଲ ଆମ୍ବ ଆସିଥିଲା। ବିକ୍ରି କରି ଟଙ୍କା ରୋଜଗାର କରିବାର ଆଶା ରହିଥିଲା। କିନ୍ତୁ ବିକ୍ରି କରିବା ପୂର୍ବରୁ ବର୍ଷା ପବନରେ ସବୁ ଆମ୍ବ ଝଡି ନଷ୍ଟ ହୋଇଗଲା। ବଗିଚାରେ ହିଁ ସବୁ ଆମ୍ବ ପଚିସଢ଼ି ନଷ୍ଟ ହେଇଗଲା। ମାଲକାନଗିରି ବ୍ଲକ ଅନ୍ତର୍ଗତ କାଦବାହାଲ ଗ୍ରାମରେ ଆମ୍ବ ଚାଷୀଙ୍କ କ୍ଷେତ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆମ୍ବ ଚାଷରୁ ବର୍ଷକର ରୋଜଗାର ପାଇଁ ଅପେକ୍ଷା କରିଥିବା ବ‌େଳେ କାଳବୈଶାଖୀ ସେମାନଙ୍କ ପାଇଁ କାଳ ସାଜିଥିଲା। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ବ‌େଳେ ସେମାନେ ଆମ୍ବ ସହ ଅନ୍ୟାନ ଚାଷ ମଧ୍ୟ କରିଥାନ୍ତି। ଜିଲ୍ଲାରେ ପାଖାପାଖି ବର୍ଷରେ ପଖାପାଖି ୮୬୨୦ ହେକ୍ଟର ଜମିରେ ଆମ୍ବ ଚାଷ ହୋଇଥାଏ। ସେଥିରୁ ବ‌ର୍ଷକୁ ପାଖାପାଖି ୪୧୬୦୬ ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହୋଇଥାଏ। ସ୍ଥାନୀୟ ବଜାରରେ ଆମ୍ବ ବିକ୍ରି କରିବା ସହ ବେପାରୀ ମାନେ ପଡୋଶୀ ରାଜ୍ୟକୁ ନେଇ ବିକ୍ରି କରିଥାନ୍ତି। ଏଥିସହ କେତେକ ଛୋଟ ଚାଷୀ ୫ଟାରୁ ଆରମ୍ଭ କରି ୨୦, ୨୫ଟି ଆମ୍ବ ଗଛ ଲଗାଇ ସେଥିରୁ ଆମ୍ବ ଅମଳ କରିଥାନ୍ତି। ବର୍ଷକୁ ସେଥିରୁ ପାଖାପାଖି ୩୦ ହଜାରରୁ ଆରମ୍ବ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି।

ସେହି ରୋଜଗାର ଟଙ୍କା ପରିବାର ଚଳାଇବାରେ ବହୁ ସହାୟକ ହୋଇଥାଏ। କିନ୍ତୁ ଏଭଳି କେତେକ ଚାଷୀଙ୍କ ପାଇଁ କାଳବୈଶାଖୀ ବର୍ଷା ଫସଲକୁ ଉଜାଡି ଦେଇଛି। ଗୋଟିଏ କି ଦୁଇଟି ଚାଷୀ ନୁହେଁ ମାଲକାନଗିରି ବ୍ଲକର ବହୁ ଚାଷୀଙ୍କ ଆମ୍ବ ଫସଲ ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ସହାୟତା ପାଇଁ ଚାଷୀ ନିବେଦନ କରିଛନ୍ତି। ଗୌଡଗୁଡା ପଞ୍ଚାୟତ କାଦବାହାଲ ଗ୍ରାମର ଘାସିରାମ ଡୁରୁକାଙ୍କ କହିବାନୁଯାୟୀ, ବହୁ ବର୍ଷ ପୂର୍ବରୁ ୨୫ଟି ଆମ୍ବ ଗଛ ଲଗାଇଥିଲେ। ସେଥିରୁ ପ୍ରତ୍ୟେକ ବର୍ଷ ଆମ୍ବ ଆସିଥାଏ। କାଁ ଭାଁ କେଉଁ ବର୍ଷ କୁହୁଡି ଯୋଗୁଁ ବଉଳ ନଷ୍ଟ ହୋଇଥାଏ କିନ୍ତୁ ଅଧିକାଂଶ ବର୍ଷ ଭଲ ଆମ୍ବ ଫଳିଥାଏ। ତାଙ୍କର ବଗିଚାରେ ବାଇଗଣପଲ୍ଲୀ, ହାତିମୁଣ୍ଡ, ବାରମାସୀ, ନଡିଆ ଆମ୍ବ ଓ କଲେକ୍ଟର ଆମ୍ବ ଆଦି ଗଛ ରହିଛି। ଏହି ସୁଆଦିଆ ଆମ୍ବର ସ୍ଥାନୀୟ ଅଞ୍ଚଳରେ ବହୁ ଚାହିଦା ରହିଥାଏ। ବୈଶାଖ ମାସ ଆରମ୍ଭ ହେବା ପୂର୍ବରୁ ଆମ୍ବ ବିକ୍ରି ଆରମ୍ଭ ହୋଇଯାଏ। ସାବିତ୍ରୀ ଅମାବାସ୍ୟା ସମୟରେ ଅଧିକ ଚାହିଦା ରହୁଥିବା ବେଳେ ରଜ ପର୍ଯ୍ୟନ୍ତ ଆମ୍ବର ବିକ୍ରି ବହୁତ ହୋଇଥାଏ। ସ୍ଥାନୀୟ ‌ଅଞ୍ଚଳରୁ ବେପରୀ ଆସି ଆମ୍ବ କିଣି ନିଅନ୍ତି, ନଚେତ ପତ୍ନୀ ଓ ଝିଅ ରାସ୍ତା କଡରେ ବସି ଆମ୍ବ ବିକ୍ରି କରିଥାନ୍ତି। ଚାହିଦା ଅନୁସା‌ରେ ଆମ୍ବକୁ ତୋଳି ପାଳ ଦ୍ବାରା ପଚାଇ ବିକ୍ରି କରିଥାନ୍ତି। ପ୍ରତିବର୍ଷ ୬୦ ରୁ ୭୦ ହଜାର ଟଙ୍କାର ଆମ୍ବ ବିକ୍ରି କରି ହୋଇଥାଏ। ଚଳିତବର୍ଷ ମଧ୍ୟ ଭଲ ଆମ୍ବ ଆସିଥିଲା, ବିକ୍ରି କରିବା ଆରମ୍ଭ ହୋଇଥିବା ବେଳେ କାଳବୈଶାଖୀ ବର୍ଷାରେ ଆମ୍ବ ଝଡିଗଲା। କେତେକ ଆମ୍ବ କଞ୍ଚା ଥିବା ବେଳେ ଆଉ କିଛି ପାଚିଥିଲା। ତଳେ ପଡି ସେହି ଆମ୍ବ ନଷ୍ଟ ହୋଇଗଲା।

ସେହି ଆମ୍ବ ବଗିଚାରେ ପଚି ନଷ୍ଟ ହେଲା। ସେଥିରୁ ଆଉ କଣ ଟଙ୍କା ମିଳିବ ବର୍ଷକର ‌ରୋଜଗାର ପଳାଇଲା ବୋଲି କହିଛନ୍ତି। ଏତିକି ମଧ୍ୟରେ ୪ ଜଣିଆ କୁଟୁମ୍ବ ଚଳାଇବା କଷ୍ଟକର ହେବ ବୋଲି ସେ କହିଛନ୍ତି। ଆମ୍ବଚାଷୀ ମଙ୍ଗରାଜ ପୂଜାରୀଙ୍କ କହିବାନୁଯାୟୀ, ସେ ୨୭ଟି ଆମ୍ବ ଗଛ ଲଗାଇଛନ୍ତି। ସେଥିରେ କଲମୀ, ସୁବର୍ଣ୍ଣରେଖା, ହାତୀମୁଣ୍ଡ ଓ ଠୁରୀ ଆମ୍ବ ରହିଛି। ସେଥିରୁ ବର୍ଷକୁ ସେ ମଧ୍ୟ ୫୦ ହଜାର ଟଙ୍କାର ରୋଜଗାର କରିଥାନ୍ତି। ଆମ୍ବ ଗଛ ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡୁନଥିବା ବ‌େଳେ ବର୍ଷକୁ ସେଥିରୁ ଭଲ ରୋଜଗାର ହେଉଛି। ସେଥିରୁ ଯେଉଁ ଆମ୍ବ ମିଳୁଛି ସ୍ତ୍ରୀ ତାହାକୁ ରାସ୍ତା କଡରେ ବସି ବିକ୍ରି କରିଥାନ୍ତି। କିଛି ଢ଼େପ ଜମି ଥିବା ବ‌େଳେ ସେଥିରେ ଧାନ ଚାଷ ହେଉଥିବାରୁ ତାହା ଖାଇବାକୁ ହୋଇଯାଉଛି ଓ ଆମ୍ବ ଗଛରୁ ମିଳୁଥିବା ଲାଭ ପରିବାର ଚଳାଇବା ସୁବିଧା ହେଉଛି। ଗତ ୩ ଦିନ ତଳେ ହୋଇଥିବା କାଳବୈଶାଖୀ ପବନରେ ସବୁ ଆମ୍ବ ପଡି ନଷ୍ଟ ହୋଇଗଲା ବୋଲି କହିଛନ୍ତି।

 

 

ସମ୍ବନ୍ଧିତ ଖବର