ରା.ଉଦୟଗିରି: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତର ଦୁର୍ଗମ ତଥା ଅମୁହାଁ ଗାଁ ଦଲିଖତରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଦ୍ବୟ ହେଲେ ନୂଆ ସାହିର ଟିମା ଦଳାଇ(୨୨) ଓ ଦଲିଖତ ଗ୍ରାମର ନବିତା ନାୟକ। ସେମାନେ ଯୁରୁଡ଼ା ପାହାଡ଼ ଉପରେ ଥିବା ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ୮ମାସ ତଳେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ଉଭୟଙ୍କ ପରିବାରର ସହମତିରେ ବାହାଘର ନିଷ୍ପତ୍ତି ମଧ୍ୟ ହୋଇଥିଲା।
ଚଳିତ ମାସ ୨୩ ତାରିଖକୁ ବାହାଘର ଦିନ ଧାର୍ଯ୍ୟ ମଧ୍ୟ ହୋଇ ସାରିଥିଲା। ତଥାପି ଉଭୟ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଅର ବାପା ମାଧବ ଦଳାଇ ଓ ଝିଅର ପିତା ଚିତ୍ରସେନ ନାୟକ ଉଭୟ ମୃତ୍ୟୁ ଖବରରେ ଭାଙ୍ଗି ପଡ଼ିଥିବା ବେଳେ ମୃତ୍ୟୁର କାରଣ କ’ଣ ଜାଣି ନଥିବା କହିଛନ୍ତି। ପୁଲିସ ଉଭୟ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/love-failuer-11_thumb.jpg)