ନବରଙ୍ଗପୁର: ଘରେ କେହି ନଥିବାର ସୁଯୋଗ ନେଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ, ମୃତଦେହ ଉଦ୍ଧାର

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ହୀରାପୁର ଅଂଚଳରେ ଶନିବାର ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନୂଆଗୁଡ଼ା ଗାଁରେ ପ୍ରେମିକ ସନ୍‌ପତ୍‌ ଭତରା (୨୧) ଓ ପ୍ରେମିକା ଭଗବତୀ କଲାର (୧୯) ବହୁ ଦିନରୁ ଜଣେ ଅନ୍ୟକୁ ଭଲ ପାଉଥିଲେ। ସେମାନେ ଜୀବନ ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ସେମାନଙ୍କୁ ବିରୋଧ କରାଯାଉଥିଲା। ଶେଷରେ ଉପାୟ ଶୂନ୍ୟ ହୋଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

ମୃତକଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସନ୍‌ପତ ଓ ଭଗବତୀ ଉଭୟେ ପରସ୍ପରକୁ ଭଲ ପାଉଥିଲେ। ଭଗବତୀଙ୍କ ବାପା ତୁଲାରାମ ଶୁକ୍ରବାର ନିକଟସ୍ଥ ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିଲେ। ସେ ଆଜି ସକାଳ ପ୍ରାୟ ୮ଟାରେ ଘରକୁ ଫେରିଥିଲେ। ଘରେ ପହଂଚି ଦେଖିଲା ବେଳକୁ ଭିତର ଘରର କବାଟ ବନ୍ଦ ଥିଲା। ପରେ ସେ ପଡୋଶୀଙ୍କୁ ଡାକି କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିବାରୁ ଭଗବତୀ ଏବଂ ସନପତଙ୍କ ମୃତଦେହ ଶାଢ଼ୀ ଓ ଗାମୁଛାରେ ଘର ପାଟିଆରେ ଝୁଲୁଥିଲା।

ତୁଲାରାମଙ୍କ ଠାରୁ ସୂଚନା ପାଇ ଆଇଆଇସି ଉମେଶ ସାହୁ ଘଟଣାସ୍ଥଳରେ ପହଂଚିଥିଲେ। ମାଜିଷ୍ଟ୍ରେଟ ତଥା ତହସିଲଦାର ଧର୍ମରାଜ ମାଝୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯାଇ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ, ତୁଲାରାମ ଯାତ୍ରା ଦେଖି ଯାଇଥିବା ବେଳେ ଘରେ ଭଗବତୀ ଏକାକୀ ଥିବାର ସୁଯୋଗ ନେଇ ସନପତ ଆସିଥିଲା। କୌଣସି କାରଣରୁ ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରେମୀଯୁଗଳ ଆତ୍ମହତ୍ୟା କରିବା ଏହି ଅଂଚଳରେ ପ୍ରଥମ ଘଟଣା। ତେଣୁ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର