ପୁଣି ଲଭ୍, ସେକ୍ସ୍ ଧୋକା : ପ୍ରତାରଣାର ଶିକାର ହେଲେ ଉଚ୍ଚଶିକ୍ଷିତା ଯୁବତୀ

ବାରିପଦା : କଲେଜ ପଢ଼ିବା ବେଳୁ ସମ୍ପର୍କ । ଉଦଳା ମହାବିଦ୍ୟାଳୟରୁ ୨୦୧୪ରୁ ଗଢ଼ିଉଠିଥିବା ସମ୍ପର୍କ ପରେ ପ୍ରେମ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ। ମାତ୍ର ଆଉ ଏହି ସମ୍ପର୍କକୁ ଗ୍ରହଣ କରୁନାହାନ୍ତି ଯୁବକ। ଫଳରେ ପୁଣିଥରେ ଲଭ୍, ସେକ୍ସ୍, ଧୋକାର ଶିକାର ହୋଇଛନ୍ତି ଜଣେ ଉଚ୍ଚଶିକ୍ଷିତା ଯୁବତୀ ।

ଯୁବକଙ୍କ ଠାରୁ ପ୍ରତାରିତ ହୋଇ ନିରାଶ ହେବା ପରେ ଶେଷରେ ଆଜି ବାରିପଦା ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା । ଏହି ସମ୍ପର୍କ ମଧ୍ୟରେ ପୀଡ଼ିତାଙ୍କୁ ଯୁବକ ଜଣଙ୍କ ଗର୍ଭ ନଷ୍ଟ କରିବାକୁ ପ୍ରବର୍ତ୍ତାଇ ସଫଳ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳର ପୀଡ଼ିତା ଯୁବତୀଙ୍କ ସହିତ ଉଦଳା କଲେଜରୁ ପଢ଼ିବା ବେଳୁ ହିଁ ବାଲେଶ୍ୱର ଜିଲ୍ଲା ମଇତାପୁର ଗ୍ରାମର ସୂର୍ଯ୍ୟପ୍ରତାପ ମହାନ୍ତିଙ୍କ ସହିତ ସମ୍ପର୍କ ଗଢ଼ିଉଠିଥିଲା। ଯାହାକି ପରେ ନିବିଡ଼ ହୋଇଥିଲା । ୨୦୧୬ରେ ବାରିପଦା ତକତପୁରସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ଏମଏସସି କୋର୍ସ କରୁଥିବା ବେଳେ ସୂର୍ଯ୍ୟପ୍ରତାପ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଅନିଚ୍ଛା ସତ୍ୱେ ଶାରିରୀକ ସମ୍ପର୍କ ରଖିଆସୁଥିଲା । ଏମଏସସି କୋର୍ସ ଶେଷ ହେବା ପରେ ଯୁବତୀ ଜଣଙ୍କ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରୀ କରୁଥିବା ସମୟରେ ଏକ ଘର ଭଡ଼ା ନେଇ ରହୁଥିଲେ । ଏହି ସମୟରେ ମଧ୍ୟ ସୂର୍ଯ୍ୟପ୍ରତାପ ଉକ୍ତ ଭଡ଼ା ଘରେ ପହଞ୍ଚି ପୀଡ଼ିତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଆସୁଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ପ୍ରେମିକ ସୂର୍ଯ୍ୟପ୍ରତାପ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ଗର୍ଭନଷ୍ଟ କରାଇଥିଲେ। ଏନେଇ ପୀଡ଼ିତା ସୂର୍ଯ୍ୟପ୍ରତାପଙ୍କୁ ବିବାହ କରିବାକୁ କହିବାରୁ ତାଙ୍କୁ ଗୁଣ୍ଡା ଲଗାଇ ଅପହରଣ ଓ ହତ୍ୟା କରିବାର ଧମକ ଦିଆଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ବିବାହର ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ଯୁବକ ଜଣଙ୍କ ପୀଡ଼ିତାଙ୍କୁ ନିରାଶ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ନିରୂପାୟ ହୋଇ ପୁଲିସର ଆଶ୍ରୟ ନେବାକୁ କହିବାରୁ ୨୦୨୧ ମାର୍ଚ୍ଚରେ ବିବାହ କରିବେ ବୋଲି ସୂର୍ଯ୍ୟପ୍ରତାପ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପରେ ଧରାଛୁଆଁ ଦେଉନାହାନ୍ତି ଯୁବକ। ଏପରିକି ଚଳିତ ମାସ ୧୭ ସନ୍ଧ୍ୟାରେ ଯୁବତୀଙ୍କୁ ସୂର୍ଯ୍ୟପ୍ରତାପ ସବୁ କଥା ଭୁଲିଯିବାକୁ କହି ମାନସିକ ଭାବେ ଗଭୀର ଆଘାତ ଦେଇଛନ୍ତି। ଏନେଇ ଆଜି ପୀଡ଼ିତାଜଣଙ୍କ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଧାରା ୩୭୬, ୪୧୭, ୩୧୩, ୫୦୬ ଅନୁସାରେ କେଶ ନମ୍ବର ୪୦୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର