ଯାଜପୁର: ଏକାଠି  ବଞ୍ଚି ପାରିଲେନି, ଏକାଠି ମୃତ୍ୟୁକୁ ବରଣ କଲେ ପ୍ରେମୀଯୁଗଳ

ଯାଜପୁର: ଉଭୟ ଉଭୟଙ୍କୁ ଗଭୀର ଭାବେ ଭଲ ପାଉଥିଲେ। ଜଣକୁ ଛାଡ଼ି ଅନ୍ୟ ଜଣେ ବଞ୍ଚିବା  ମୁସ୍କିଲ ଥିଲା। ମାତ୍ର ସେମାନଙ୍କ ଭଲ ପାଇବାରେ ବାଧକ ଥିଲା ସମାଜ  ଆଉ ପରିବାର।   ଶେଷରେ ସବୁଦିନ ପାଇଁ ସେମାନେ ଯେଉଁ ନିଷ୍ପତ୍ତି ନେଲେ ତାକୁ ନେଇ ସମଗ୍ର ଗାଁ ସ୍ତମ୍ଭୀଭୂତ। କାହା ପାଟିରେ କଥା ନାହିଁ। ଆଜି ସକାଳୁ  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗାଡ଼ିଆ ପଞ୍ଚାୟତର ପାଇକରାପୁର ଗାଁରେ ଏହିପରି ଏକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।  ନିଜ ପ୍ରେମକୁ ସାର୍ଥକ ହେବାର ସମ୍ଭାବନା ନ ଦେଖି ସ୍ୱଳ୍ପ ବୟସର ପ୍ରେମୀଯୁଗଳ ଗୋଟିଏ ରଶିିର ଦୁଇ ପାର୍ଶ୍ୱରେ ଫାଶି ଲଗାଇ ଗଛରୁ ଝୁଲି ପଡ଼ି ଜୀବନ ହାରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗାଡ଼ିଆ ପଞ୍ଚାୟତର ପାଇକରାପୁର ଗାଁର ବାପି ସାମଲ(୨୦ ବର୍ଷ) ଓ ସେହି ଗାଁର ପୂଜା ମଲ୍ଲିକ(୧୮ ବର୍ଷ) ପରସ୍ପରକୁ ଭଲ ପାଉଥିଲେ। ମାତ୍ର ଏହାକୁ ସେମାନଙ୍କ ପରିବାର ସ୍ୱୀକୃତି ଦେବ ନାହିଁ ଜାଣି ଉଭୟ ଗତକାଲି ସନ୍ଧ୍ୟାରେ ଘରୁ ଲୁଚି ପଳାଇ ଯାଇଥିଲେ। ଏହାକୁ ନେଇ ଗାଁରେ ବିଭିନ୍ନ କଥା ଚର୍ଚ୍ଚା ହେଉଥିବା ବେଳେ ସକାଳୁ ଗାଁ ନିକଟସ୍ଥ ପାହାଡ଼ ଉପରେ ଥିବା ଏକ ଚାକୁଣ୍ଡା ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ  ଦେଖିବାକୁ ମିଳିଥିଲା। ଗୋଟିଏ  ରଶିରେ ଏହି ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା  ଦେଖିବାକୁ ମିଳିଛି। ଖବର ପାଇ ଉଭୟ ବାପି ଓ ପୂଜାଙ୍କ ପରିବାର ଲୋକଙ୍କ ସହିତ  ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଶେଷ କରି ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି କିମ୍ବା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି ସେ ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର