ରାୟଗଡା: ପ୍ରଥମେ ପ୍ରେମ, ତାପରେ ଲିଭ ଇନ ରିଲେସନସିପ। ଦୀର୍ଘ ଦିନ ଲିଭ ଇନ ରିଲେସନସିପରେ ରହିବା ପରେ ସଂପର୍କ ବିଗିଡିଲା ଆଉ ଝଗଡା ବଢିଲା। ଝଗଡା ହେବାରୁ ପ୍ରେମିକକୁ ଛାଡି ପ୍ରେମିକା ଅନ୍ୟତ୍ର ଘର ଭଡାରେ ରହିଲେ। ନିଜ ଉଦ୍ୟମରେ ସିଲେଇ କାମ କରି ନିଜର ପ୍ରତିପୋଷଣ କଲେ। ପ୍ରେମିକ ସହ ଆଉ ସଂପର୍କ ରଖିଲେ ନାହିଁ। ଏଥିରେ ପ୍ରେମିକ ରାଗିଯାଇ ଉନ୍ମତକାଣ୍ଡ ଘଟାଇଲା। ପ୍ରେମିକାକୁ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଆସିଥିବା ପ୍ରେମିକ ଶେଷରେ ଘର ମାଲିକର ସ୍କୁଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରର ଜିଓପରେଟିଭ କଲୋନୀରେ। ସୂଚନା ଅନୁଯାୟୀ ପ୍ରେମିକା ଝରଣା(ଛଦ୍ମନାମ)ଙ୍କ ବିବାହ ଟିକିରିର ଜଣେ ଯୁବକଙ୍କ ସହ ହୋଇଥିଲା। କୌଣସି କାରଣରୁ ସେହି ବିବାହରେ ସ୍ଥାୟୀତ୍ବ ନରହି ଶେଷରେ ଅଲଗା ହୋଇ ଝରଣା ନିଜ ମାଆ ଘରେ ରାୟଗଡାରେ ରହିଥିଲେ । ଏହି ସମୟରେ ସହରରେ ପାଣି ବିକ୍ରି କରି ଚଳୁଥିବା ରିତେଶ ଗୌରୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା।
ପରସ୍ପରକୁ ଦେଖା କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ପ୍ରେମିକାକୁ ନେଇ ଏକ ଭଡା ଘରେ ଲିଭ ଇନ ରିଲେସନସିପରେ ରହିଲେ। ଲିଭ ଇନ ରିଲେସନରେ ରହିବାର ୮ ମାସ ପରେ ରିତେଶ ସବୁବେଳେ ଝରଣାଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଲା। ପ୍ରତିଦିନ ରିତେଶର ଅତ୍ୟାଚାର ସହ୍ୟ କରିନପାରି ଶେଷରେ ସେ ଜିଓପରେଟିଭ କଲୋନୀରେ ଭଡା ଘରେ ରହିଲେ। ଝରଣାଙ୍କ ଭଡା ଘରେ ଆସି ପୁଣି ରିତେଶ ଝଗଡା କରିବାକୁ ଲାଗିଲା। ଶେଷରେ ପ୍ରେମିକ ରିତେଶ ଝରଣାକୁ ଜୀବନରେ ମାରିଦେବା ପାଇଁ ପ୍ରସ୍ତୁତ ହୋଇ ପେଟ୍ରୋଲ ଆଣି ତାଙ୍କ ଉପରେ ଢାଳିବାକୁ ଚେଷ୍ଟା କରିବାରୁ ସେ ଖସି ପଳାଇବାରୁ ରାଗରେ ବାହାରେ ଥିବା ସ୍କୁଟିକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ତେବେ ଏହି ସ୍କୁଟିଟି ହେଉଛି କବିତା ରହୁଥିବା ଭଡା ଘରର ମାଲିକଙ୍କର। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିବା ପୂର୍ବରୁ ସ୍କୁଟିଟି ସଂପୂର୍ଣ୍ଣ ରୂପେ ଜଳିଯାଇଥିଲା। କବିତା ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ରିତେଶକୁ ଅଟକ ରଖି ପଚରାଉଚରା କରୁଛି।