ପ୍ରେମ ଆଗରେ ହାର ମାନିଲେ ପରିବାର: ହାତକାଟି ଥାନାରେ ପହଞ୍ଚିଲା ପ୍ରେମିକ, ସାତ ଦିନ ମଧ୍ୟରେ ହେବ ବାହାଘର  

ବାଙ୍ଗିରିପୋଷି: ପ୍ରେମ ଆଗରେ ଯୁବକ ଓ ଯୁବତୀଙ୍କ ପରିବାର ହାର ମାନିଛନ୍ତି । ଥାନାରେ ପ୍ରେମିକ ହାତ କାଟି ପହଞ୍ଚିବା ପରେ ଉଭୟ ପରିବାରର ଲୋକେ ଶେଷରେ ବିବାହ ପ୍ରସ୍ତାବରେ ରାଜି ହୋଇଛନ୍ତି । ସାତ ଦିନ ମଧ୍ୟରେ ବିବାହ ହେବ । ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଘଟଣା ସମୟରେ ବାଙ୍ଗିରିପୋଷି ଥାନା ପରିସର ମଧ୍ୟରୁ ହଠାତ କୋଳାହଳ ଶୁଭିଲା।  କଣ ହେଲା ବୋଲି ଜାଣିଲା ବେଳକୁ ଜଣେ ଯୁବକଙ୍କ ହାତ କଟି ରକ୍ତାକ୍ତ ହୋଇଛି ଏବଂ ସେ  ଚିତ୍କାର କରୁଥିଲେ- ମତେ ମରିବାକୁ ଦିଅ।

ଘଟଣାରୁ ଜଣାଯାଏ  କୁଳିଅଣା ଥାନା  କୁଚେଇ ଗ୍ରାମର ଜଣେ ଯୁବକ ଗୋଲାମୁଣ୍ଢାକଟା ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଶନିବାର ଝିଅ ଘର ପୁଅଘରକୁ କଥା ପକ୍କା କରିବା ଯିବାକୁ ଥିଲା ବେଳେ କୌଣସି କାରଣରୁ ଯାଇ ନଥିଲେ। ହଠାତ ଯୁବକଙ୍କୁ ଖବର ମିଳିଲା ଝିଅ ଘର ରାଜି ନୁହଁନ୍ତି। ଯୁବକ କାଳବିଳମ୍ବ ନକରି ଝିଅ ଘରେ ପହଞ୍ଚି ଯୁକ୍ତିତର୍କ କରିବା ସହିତ ନିଜ ହାତକୁ ଏକ ଭଙ୍ଗା କାଚରେ କାଟି ଦେଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ଯୁବକ ରକ୍ତାକ୍ତ ହୋଇ ପହଞ୍ଚିଥିଲେ ଥାନାରେ। ପୁଲିସ ଯେତେ ଚେଷ୍ଟା କଲେ ମଧ୍ୟ ଯୁବକ ଚିକିତ୍ସା ହେବାକୁ ମନା କରିବା ସହିତ ଆତ୍ମହତ୍ୟା କରିବେ ବୋଲି କହିବାରୁ ଉଭୟ ପରିବାରଙ୍କ ନିଷ୍ପତ୍ତିରେ ଆସନ୍ତା ସାତ ଦିନ ମଧ୍ୟରେ ବାହାଘର ହେବ କହିବାରୁ ପରିସ୍ଥିିତି ଶାନ୍ତ ପଡ଼ିଥିଲା। ଦୋକାନରେ ସଉଦା ଦେବା ନେବା ବେଳେ ପ୍ରେମ ସଂପର୍କ ଗଢି ଉଠିଥିବା ଯୁବକ କହିଛନ୍ତି । ପ୍ରେମ ଆଗରେ ଉଭୟ ପରିବାର ହାର ମାନିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର