ବୁଢାକେନ୍ଦୁ ଜଙ୍ଗଲରୁ ୨ଟି ଗଳିତ ଶବ ଉଦ୍ଧାର, ପ୍ରେମୀ ଯୁଗଳ ସନ୍ଦେହ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ବୁଢ଼ାକେନ୍ଦୁ ଜଙ୍ଗଲରୁ ଦୁଇଟି ଗଳିତ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଦୀର୍ଘ ଦିନରୁ ମୃତ୍ୟୁ ହୋଇଯାଇଥିବା ବେଳେ ମୃତଦେହ ଗୁଡ଼ିକ ପଚି ନଷ୍ଟ ହେବାକୁ ବସିଛି । ଯାହା ଫଳରେ ମୃତକମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇ ପାରିନାହିଁ। ମୃତଦେହ ଦ୍ବୟରୁ ଗୋଟିଏ ଯୁବତୀର ହୋଇଥିବାର ବେଳେ ଅନ୍ୟଟି ପୋଡି ଜଳି ଯାଇଥିବାରୁ ପ୍ରକୃତରେ ତାହା ଯୁବକ କିମ୍ବା ଯୁବତୀର ସ୍ପଷ୍ଟ ଜଣାପଡୁନାହିଁ। ଯୁବତୀଟିର ମୃତଦେହ ଚୁନିରେ ବନ୍ଧା ହୋଇଥିବା ଅବସ୍ଥାରେ ଗୋଟିଏ ଶାଳ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ଅନ୍ୟ ଜଣଙ୍କ ମୃତଦେହଟି ତଳେ ପଡି ଯାଇଥିବା ବେଳେ ଜଙ୍ଗଲରେ ଲାଗିଥିବା ନିଆଁରେ ଦରପୋଡା ଅବସ୍ଥାରେ ରହିଛି। ଉଭୟ ମୃତଦେହର ପରିଚୟ ଜଣା ପଡିନଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜି ମଧ୍ୟାହ୍ନ ସମୟରେ ଗାଙ୍ଗପୁର ବନପାଳ ଜି.ଭେଙ୍କଟରାଓ ଦୋରା ବନକର୍ମଚାରୀ ଓ ଭିଏସ୍ଏସ୍ ସଦସ୍ୟଙ୍କ ସହିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରିବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ଗୋଟିଏ ଗଛରେ ଗୋଟିଏ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଦେଖିବା ପରେ ସେଠାରେ ଆଉ ଏକ ମୃତଦେହ ଦରପୋଡା ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ଗାଙ୍ଗପୁର ଥାନାକୁ ଖବର ଦେଇଥିଲେ। ଏହାପରେ ଥାନା ଅଧିକାରୀ ଧିରେଶ କୁମାର ଦାସଙ୍କ ନେତୃତ୍ବରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ଜଙ୍ଗଲରେ ପତ୍ର ଝଡା ଦେଇଥିବା ବେଳେ ଜଙ୍ଗଲରେ ନିଆଁ ଲାଗିଯାଇଥିବାରୁ ଅନ୍ୟ ମୃତ ଦେହଟି ନିଆଁରେ ପୋଡି ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତଦେହର ଅବଶିଷ୍ଟାଂଶ ପଡିଥିବା ଖପୁରୀ ଓ ହାଡକୁ ଦେଖିଲେ ତାହା ଜଣେ ଯୁବକ ହୋଇଥିବା ଅନୁମାନ କରୁଛି ପୁଲିସ । ସାଇଣ୍ଟିଫିକ୍ ଟିମକୁ ଖବର ଦିଆଯାଇଥିବା ବେଳେ ଡିଏନ୍ଏ ଟେଷ୍ଟ ପରେ ହିଁ ଏହା ପୁରୁଷ କିମ୍ବା ମହିଳାଙ୍କ ମୃତଦେହ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଏହି ଇଲାକା କ୍ଷତ୍ରିୟବ୍ରହ୍ମପୁର ଇଲାକାରେ ହୋଇଥିବାବେଳେ ପାଖରେ ପର୍ଶୁଲୁଣ୍ଡା ଗ୍ରାମ ରହିଛି। ପୁଲିସ୍ ଆଖପାଖ ଲୋକଙ୍କୁ ଡାକି ପଚରାଉଚୁରା କରିବା ସହ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅନୁମାନ କରି ଜିଲ୍ଲାର ବିଭିନ୍ନ ଥାନାରେ ନିଖୋଜ ହୋଇଥିବା ପ୍ରେମୀ ଯୁଗଳଙ୍କ ତଥ୍ୟ ସନ୍ଧାନ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ପ୍ରକୃତ କାରଣ ଜଣାପଡିନାହିଁ। ସାଇଣ୍ଟିଫିକ ଟିମ୍ ଆସି ଅନୁଧ୍ୟାନ କରିବା ପରେ ଗଳିତ ମୃତଦେହ ଦ୍ବୟକୁ ବ୍ୟବଛେଦ ନମନ୍ତେ ବ୍ରହ୍ମପୁର ଏଫ୍ଏମ୍ଟିକୁ ପଠାଯିବ । ଏନେଇ କେସ୍ ନମ୍ବର ୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୁକାନ୍ତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର