ଖଇରା: ପ୍ରେମ ପାଇଁ ଗୋଟିଏ ନିରୀହ ଜୀବନ ଚାଲିଯାଇଛି। ଉପହାର ଗ୍ରହଣ ନକରିବା ଏବଂ କଥାବାର୍ତ୍ତା ନହେବା ଫଳରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ବିଚଳିତ କଲାଭଳି କଥା ହେଲା; ଯୁବକ ଜଣକ ମୋବାଇଲ୍‌ରେ ବିଷ ପିଇବାର ଭିଡିଓ ରେକର୍ଡିଂ କରି ତାଙ୍କ ପ୍ରେମିକାଙ୍କ ହ୍ବାଟ୍‌ସ-ଆପ୍‌କୁ ପଠାଇଛନ୍ତି। ସୂଚନା ଅନୁସାରେ; ବାଲେଶ୍ବର ଜିଲ୍ଲା ଖଇରା ଥାନା ନହଙ୍ଗ ଗ୍ରାମ ମହାଳିକ ସାହିର ଗୟାଧର ମହାଳିକଙ୍କ ଏକମାତ୍ର ପୁଅ କମଳାକାନ୍ତ ବେଙ୍ଗାଲୁରୁର ଏକ କମ୍ପାନିରେ କାମ କରନ୍ତି। କିଛିଦିନ ତଳେ ସେ ଗାଁ’କୁ ଆସିଥିଲେ। ଗତ ୨୬ ତାରିଖ ଦିନ ସକାଳେ ୩ ବର୍ଷ ଧରି ପ୍ରେମ କରୁଥିବା ସ୍ଥାନୀୟ ଜଣେ ଯବତୀଙ୍କୁ କମଳାକାନ୍ତ ଏକ ମୋବାଇଲ୍‌ ଉପହାର ଦେବାକୁ ଯାଇଥିଲେ। ହେଲେ ଯୁବତୀ ଜଣକ କୌଣସି କାରଣ ପାଇଁ ତାକୁ ଗ୍ରହଣ କରି ନଥିଲେ। ଏମିତି କି ପରେ ସେ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ। ଫଳରେ କମଳାକାନ୍ତ ମାନସିକ ଭାରସାମ୍ୟ ହରାଇବସିଥିଲେ।

Advertisment

ଏପରି ସମୟରେ ଗତ ୨୭ ତାରିଖ ଦିନ ସେ ଚରମ ନିଷ୍ପତ୍ତି ନେଇଥିଲେ। ଆତ୍ମହତ୍ୟା କରିବା ପାଇଁ କମଳାକାନ୍ତ ବିଷ ପିଇ ଦେଇଥିଲେ। ଏହା ସହିତ ବିଷ ପିଇବା ବେଳର ଭିଡିଓ ମୋବାଇଲ୍‌ ଦ୍ବାରା ଉତ୍ତୋଳନ କରି ପ୍ରେମିକାଙ୍କ ହ୍ବାଟ୍‌ସ-ଆପ୍‌କୁ ପଠାଇଥିଲେ। କମଳାକାନ୍ତ ବିଷ ପିଇଥିବା ଜାଣି ପରିବାର ଲୋକ ତାଙ୍କୁ ସଂଗେ ସଂଗେ ଖଇରା ଡାକ୍ତରଖାନା ନେଇଥିଲେ। ଅବସ୍ଥା​ ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି କମଳାକାନ୍ତ ଆଖିବୁଜିଛନ୍ତି। ତେବେ ବିଷ ପିଆ ଭିଡିଓ ବିଭିନ୍ନ ସାମାଜିଜ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଏବେ ସବୁ କଥା ପଦାକୁ ଆସିଛି। ପୁଅର ମୃତ୍ୟୁ ପାଇଁ ପରିବାର ଲୋକ ସଂପୃକ୍ତ ଯୁବତୀଙ୍କୁ ଦାୟୀ କରିଛନ୍ତି। ଏନେଇ ଆସନ୍ତାକାଲି ଥାନାରେ ଲିଖିତ ଅଭିଯୋଗ କରାଯିବ ବୋଲି କମଳାକାନ୍ତଙ୍କ ଭାଇ ଶରତ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି।