ପ୍ରେମକୁ ସ୍ବୀକୃତି ଦେଲେନି ପରିବାର, ଫାଶୀ ଲଗାଇ ଝୁଲି ପଡ଼ିଲେ ପ୍ରେମୀଯୁଗଳ

ରାସଗୋବିନ୍ଦପୁର/ମାଣିଦା/ଗାଁଅମର୍ଦା : ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ। ବିବାହ କରି ୭ ଜନ୍ମର ସାଥୀ ହେବାକୁ ଶପଥ ନେଇଥିଲେ। ହେଲେ ସେମାନଙ୍କ ପ୍ରେମକୁ ସ୍ବୀକୃତି ଦେଲେନି ପରିବାର ଲୋକ। ଏ ଜନ୍ମରେ ଏକାଠି ହେବା ସମ୍ଭବ ନୁହେଁ ଜାଣି ଫାଶୀ ଲଗାଇ ଝୁଲିପଡ଼ିଲେ ପ୍ରେମୀଯୁଗଳ। ଏମିତି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସାଗୋବିନ୍ଦପୁର ବ୍ଲକ୍‌ରେ।

ଏହି ବ୍ଲକ୍‌ର ଗାଁ ଅମର୍ଦା ପଞ୍ଚାୟତ ଦରଖୁଳି ଗ୍ରାମର ସ୍ବର୍ଗତ ଥାର୍ପା ସିଂ ଓ ଝାମ୍ପ ସିଂ ଥିଲେ ପଡ଼ୋଶୀ। ପାଖାପାଖି ଘର ହୋଇଥିବାରୁ ଥାର୍ପାଙ୍କ ପୁଅ ବାଉଳା(୨୦) ଓ ଝାମ୍ପିଙ୍କ ଝିଅ ସୀମା(୧୮) ପରସ୍ପରର ଭଲ ବନ୍ଧୁ ଥିଲେ। ପରେ ବନ୍ଧୁତା ପ୍ରେମର ରୂପ ନେଇଥିଲା। ହେଲେ ଏ କଥା ଜାଣିବା ପରେ ଉଭୟ ପରିବାର ଏହାକୁ ବିରୋଧ କରିଥିଲେ। ଘର ଲୋକଙ୍କୁ ମନାଇବାରେ ବିଫଳ ହେବାରୁ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ଏହି ପ୍ରେମୀଯୁଗଳ। ଗତକାଲି ରାତି ପ୍ରାୟ ୩ଟା ସମୟରେ ଉଭୟ ଘରୁ ପଳାଇ ଆସି ଘରଠାରୁ ୨ଶହ ମିଟର ଦୂରରେ ଏକ ମହୁଲ ଗଛରେ ପରସ୍ପରର ଓଢଣୀ ଓ ଗାମୁଛା ବାନ୍ଧୀ ଫାଶୀରେ ଝୁଲି ପଡ଼ିଥିଲେ। ସକାଳେ ସେମାନଙ୍କ ଝୁଲନ୍ତା ଶବ ଦେଖି ରାସଗୋବିନ୍ଦପୁର ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ। ଆଇଆଇସି ଲୋପାମୂଦ୍ରା ନାୟକ, ଗାଁଅମର୍ଦା ଫାଣ୍ଡି ଅଧିକାରୀ ପ୍ରକାଶ ନାୟକ ପ୍ରମୁଖ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏ ନେଇ କେସ୍‌ ନଂ ୧୬/୨୧ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର