ଲଘୁଚାପ ପ୍ରଭାବ, ବର୍ଷା ବଢ଼ିଲେ ଚାଷୀଙ୍କୁ ବିପଦ

ବଲାଙ୍ଗୀର ଜିଲ୍ଲା ଚାଷୀଙ୍କ ବେଳା ଭଲ ନାହିଁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ପାଇଁ ପ୍ରକୃତି ଦାଉ ସାଧୁଛି। ଯେତେବେଳେ ଚାଷୀ ବର୍ଷା ଖୋଜୁଥିଲେ ସେତେବେଳେ ବର୍ଷାର ଦେଖା ମିଳିଲା ନାହିଁ। ଆଉ ବର୍ଷା ଅଭାବ ଯୋଗୁଁ ମରୁଡ଼ି ହେଲା। ରାଜ୍ୟରେ ସର୍ବାଧିକ ମରୁଡ଼ି ପ୍ରଭାବିତ ଅଞ୍ଚଳ ହେଲା ବଲାଙ୍ଗୀର। ଯାହା ଫସଲ ବଳିଥିଲା ସେଥିରୁ ଅନେକ ଜମିରେ ଚକଡ଼ା ପୋକ ଚରିଗଲେ। ସେଥିରେ ବି ଚାଷ ପ୍ରଭାବିତ ହେଲା। ଏବେ ଲଘୁଚାପ ବର୍ଷା କାଳ ଖାଉଚି।
ବଲାଙ୍ଗୀର ଜିଲ୍ଲାରେ ସାଧାରଣତଃ ୧ଲକ୍ଷ ୮୩ ହଜାର ହେକ୍ଟର ଜମିରେ ଧାନ ଚାଷ ହୁଏ। ଚଳିତ ବର୍ଷ ପ୍ରାୟ ୧୦ ହଜାର ହେକ୍ଟରରେ ଧାନ ଚାଷ ହୋଇ ନଥିଲା ଆରମ୍ଭରୁ। ସେହିପରି ବର୍ଷା ଅଭାବ ଯୋଗୁଁ ଠିକ୍‌ ସମୟରେ ବେଉଷଣ କରାଯାଇ ପାରି ନଥିଲା। ପ୍ରାୟ ୨୦ ହଜାର ହେକ୍ଟର ଜମିରେ ବେଉଷଣ ହୋଇ ନଥିବାରୁ ଚାଷ କ୍ଷତିଗ୍ରସ୍ତ ହେଲା। ଏଭଳି ୩୦ହଜାର ହେକ୍ଟର ଜମି ଏଥର ଚାଷ ହୋଇପାରିଲା ନାହିଁ। ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ମରୁଡ଼ି ରିପୋର୍ଟ ଅନୁସାରେ ଜିଲ୍ଲାରେ ପ୍ରାୟ ଏକ ଲକ୍ଷ ହଜାର ହେକ୍ଟର ଜମି ମରୁଡ଼ି ଦ୍ୱାରା ଫସଲ ହାନୀ ହୋଇଛି। ତା’ପରେ ଚକଡ଼ା ପୋକ ଚିନ୍ତାର କାରଣ ପାଲଟିଥିଲା ଚାଷୀଙ୍କ ପାଇଁ। ବୁଧୁବାରଠାରୁ ବଲାଙ୍ଗୀର ଜିଲ୍ଲାରେ ଲଘୁଚାପ ଯୋଗୁଁ କୋହଲା ପାଗ ଥିବା ବେଳେ ଆଜି ବଲାଙ୍ଗୀର ସହରରେ ଝିପି ଝିପି ବର୍ଷା ହୋଇଥିଲା।

ଅନ୍ୟପଟେ ପାଟଣାଗଡ ଉପଖଣ୍ଡରେ ବର୍ଷା ହୋଇଥିବା ଜଣାପଡିଛି। ବର୍ଷା କେତେ ହୋଇଛି ତାର ଆକଳନ ହୋଇ ପାରି ନାହିଁ। ତେବେ କୃଷି ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଏବେ ବି କିଛି ଅଞ୍ଚଳରେ ଧାନ ଅମଳ କରାଯାଇ ନାହିଁ। କ୍ଷେତରେ ଧାନ ଫସଲ ରହିଛି। ବର୍ତ୍ତମାନ ଯେଉଁ ଭଳି ବର୍ଷା ହେଉଛି ତାହା ବିଶେଷ କ୍ଷତିକାରଣ ନୁହେଁ। ଯଦି ଅଧିକ ବର୍ଷା ହୁଏ ତା’ହେଲେ ବିପଦ୍‌ଜନକ। ସେହିପରି ପାଟଣାଗଡ଼ ଉପଖଣ୍ଡରେ କପା ଚାଷ କରାଯାଉଥିବା ବେଳେ ଦୀପାବଳି ସମୟରେ ହୋଇଥିବା ବର୍ଷା ଯୋଗୁଁ କପା ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ତେବେ ଯେଉଁମାନେ ପ୍ରଥମ ପର୍ଯ୍ୟାୟ କପା ତୋଳି ଦେଇଛନ୍ତି ସେମାନଙ୍କ ପାଇଁ ବର୍ଷା ଆର୍ଶିବାଦ ହେବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭଲ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ସେହିପରି ପବନ ଅଧିକ ମାତ୍ରାରେ ହେଲେ ଧାନ କେଣ୍ଡାରୁ ଧାନ ଝଡିଯିବାର ସମ୍ଭାବନା ରହିଛି। କିନ୍ତୁ ଅଧିକ ବର୍ଷା ଜିଲ୍ଲାର ଚାଷୀଙ୍କ ସର୍ବନାଶର କାରଣ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର